୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟ ନିକଟ ଖର୍ଲିଂଗ ଠାରେ ୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ଏକ ବୋଲେରୋ ଗୁଣୁପୁରରୁ ଆନ୍ଧ୍ର ଦେଇଯାଉଥିବା ସମୟରେ ପୋଲିସ ସନ୍ଦେହରେ ଅଟକ ରଖି ଗାଡିରୁ ୧୫ଟି ବ୍ୟାଗକୁ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ।

ଜବତ ବ୍ୟାଗରେ ପ୍ରାୟ ୫୨୫ କେଜି ଗଞ୍ଜେଇ ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୨ ଲକ୍ଷ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ବାବୁଲି ନାୟକ ଏବଂ ଥାନା ଅଧିକାରୀ ଉତ୍ତମ ସାହୁ ସୂଚନା ଦେଇଛନ୍ତି ।

ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ହେଲପେର ଏବଂ ଅନ୍ୟ ଜଣେ ଗାଡିର ଡ୍ରାଇଭର ଜିତୁ ନାୟକ ବୋଲି ଜଣାପଡିଛି । ଅଭିଯୁକ୍ତ ଜିତୁ ନାୟକର ଘର ଗଜପତି ଜିଲ୍ଲାରେ ଏବଂ ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଏବଂ ନଗଦ ୧୫୦ ଟଙ୍କା ମଧ୍ୟ ଜବତ କରିଛି ।

ଏହି ଚଢ଼ାଉ ଆଦର୍ଶ ଥାନାର ଏଏସଆଇ ରଂଜିତ ତ୍ରିପାଠୀ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଉତ୍ତମ ସାହୁ ।

ଅଭିଯୁକ୍ତଙ୍କୁ ଧାରା ୨୦ (ବି) (ii) (ସି) ୨୫/୨୯ ଏନଡିପିଏସ ଆକ୍ଟରେ ଗିରଫ କରିଥିବା ଥାନା ଅଧିକାରୀ ଉତ୍ତମ ସାହୁ ଜଣାଇବା ସହ ଏହି ଗଞ୍ଜେଇ ଚୋରା ଚାଲାଣରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ କରୁଛି ପୋଲିସ ।

nis-ad
Leave A Reply

Your email address will not be published.