ଓଡ଼ିଶାରେ ଇଭି ପ୍ରକଳ୍ପରୁ ଓହରିବନି ଜେଏସଡବ୍ଲ୍ୟୁ

ଓଡ଼ିଶାରେ ପ୍ରସ୍ତାବିତ ୪୦ ହଜାର କୋଟି ଟଙ୍କାର ବିଦ୍ୟୁତଚାଳିତ ଯାନ(ଇଭି) ନିର୍ମାଣ ପ୍ରକଳ୍ପ ଓ ବ୍ୟାଟେରିଂ ମାନ୍ୟୁଫାକଚରିଂ ପ୍ରକଳ୍ପରୁ ଓହରିବ ନାହିଁ ବୋଲି ଜେଏସଡବ୍ଲ୍ୟୁ ସ୍ପଷ୍ଟ କରିଛି । ସେପଟେ ଜେଏସଡବ୍ଲ୍ୟୁର ଇଭି ପ୍ରକଳ୍ପ ମହାରାଷ୍ଟ୍ରକୁ ସ୍ଥାନାନ୍ତରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ମିଡିଆ ଆଗରେ ମୁହଁ ଖୋଲିଛନ୍ତି । ଜେଏସଡବ୍ଲ୍ୟୁ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଉଛି ଓ ସେମାନେ ପ୍ରକଳ୍ପ ସ୍ଥାନାନ୍ତର ଚୂଡ଼ାନ୍ତ କରିନାହାନ୍ତି କିମ୍ବା ଆମକୁ କୌଣସି ସୂଚନା ଦେଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଜାତୀୟ ଗଣମାଧ୍ୟମରେ ଜେଏସଡବ୍ଲ୍ୟୁର ପ୍ରସ୍ତାବିତ ଇଭି ପ୍ରକଳ୍ପ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ନାନାଦି ଚର୍ଚ୍ଚା ଜୋର ଧରିଥିଲା । ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ କମ୍ପାନୀ ତା’ର ପ୍ରସ୍ତାବିତ ଇଭି ପ୍ରକଳ୍ପକୁ ସ୍ଥାନାନ୍ତର କରିବା ନେଇ ରାଜ୍ୟ ସରକାରଙ୍କୁ କିଛି ଅବଗତ କରିନାହିଁ । କମ୍ପାନୀର ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିଛି । ଏହି ଆଲୋଚନା ସରିବା ପରେ କିଛି ନିର୍ଯ୍ୟାସ ବାହାରିବ । ମାତ୍ର ସେମାନେ ଓଡ଼ିଶା ପ୍ରକଳ୍ପ ଓହରିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ପୁଞ୍ଜିନିବେଶକମାନେ ନିଜର ଆବଶ୍ୟକତା ଓ ଫିଜିବିଲିଟିକୁ ଦେଖି ନିଷ୍ପତ୍ତି ନେଇଥାନ୍ତି । ଇଭି ପ୍ରକଳ୍ପ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଛି, ତେବେ ତାଙ୍କ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ନେଉଛି ବୋଲି ସେ କହିଥିଲେ ।

ରାଜ୍ୟରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଜେଏସଡବ୍ଲ୍ୟୁ କମ୍ପାନୀର କାର୍ଯ୍ୟନିର୍ବାହୀ ଉପସଭାପତି(କର୍ପୋରେଟ ବ୍ୟାପାର) ରଞ୍ଜନ ନାୟକଙ୍କ ଦ୍ୱାରା ଏକ ପ୍ରେସ୍ ବିବୃତ୍ତି ଜାରି ହୋଇଛି । ସେଥିରେ କମ୍ପାନୀ କହିଛି ଯେ, ଓଡ଼ିଶାରେ ପ୍ରସ୍ତାବିତ ୪୦ହଜାର କୋଟି ଟଙ୍କାର ଇଭି ଓ ବ୍ୟାଟେରିଂ ଉତ୍ପାଦନ ପ୍ରକଳ୍ପରୁ ଜେଏସଡବ୍ଲ୍ୟୁ ଗ୍ରୁପ୍ ଓହରିବ ନାହିଁ ।

ସୂଚନାଯୋଗ୍ୟ, ଗତ ପ୍ରାୟ ୭ମାସ ପୂର୍ବରୁ ସାଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ତତକାଳୀନ ବିଜେଡି ସରକାର ସମୟରେ କଟକର ନରାଜ ନିକଟରେ ୪୦ହଜାର କୋଟି ଟଙ୍କା ବ୍ୟୟରେ ଇଭି ଓ ବ୍ୟାଟେରୀ ପ୍ରକଳ୍ପ ସ୍ଥାପନ ନିମନ୍ତେ ଓଡ଼ିଶା ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

nis-ad
Leave A Reply

Your email address will not be published.