ଆଜିଠୁ ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ: ଶାରଦୀୟ ପାର୍ବଣରେ ଶ୍ରୀମନ୍ଦିରରେ ବିମଳା ମନ୍ଦିରରେ ଆରମ୍ଭ ହୋଇଛି ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା । ମୂଳାଷ୍ଟମୀ ଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଚଳିତ ଥର ତିଥିରେ ବ୍ୟତିକ୍ରମକୁ ନଜରରେ ରଖି ୧୬ ଦିନ ବଦଳରେ ୧୮ ଦିନର ହେବ ପୂଜାବିଧି ।

ଶ୍ରୀନଅରରେ ବ୍ରାହ୍ମଣ ବରଣ ସହ ଆରମ୍ଭ ହୋଇଛି ବିଧି । ପରମ୍ପରା ମୁତାବକ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡ଼ିଆ ପ୍ରଦାନ କରି ବ୍ରାହ୍ମଣ ବରଣ କରିଛନ୍ତି ।

ଚଳିତବର୍ଷ ଶ୍ରୀନଅର ସିଂହଦ୍ଵାର ମହାବୀରଙ୍କ ଠାରେ ପରମ୍ପରା ମୁତାବକ ବିମଳାଙ୍କ ପାର୍ବଣ ପୂଜକ ନରସିଂହପୁରର ରଥ ସାମନ୍ତ ବ୍ରାହ୍ମଣଙ୍କୁ ବରଣ କରାଯାଇଥିବା ବେଳେ ପାର୍ବଣ ପରିଛା ଓ ପାର୍ବଣ ପୁଜକଙ୍କୁ ବରଣ କରାଯାଇଛି । ଏହି ଆଚାର୍ଯ୍ୟ ମାନେ ଷୋଡଶ ଦିନାତ୍ମକ ପୂଜା ବିଧି ଅନୁଯାୟୀ ପୁରୀରେ ଥିବା ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଚଣ୍ଡୀପାଠ, ଦୁର୍ଗା ଆରାଧନା କରିବେ । ମନ୍ତ୍ରଜାପକ, ଚଣ୍ଡୀ ପାଠକ, ସହସ୍ର ନାମ ଜପକଙ୍କୁ ବିମଳାଙ୍କ ଜଗମୋହନରେ, ଆଚାର୍ଯ୍ୟ ବରଣ କରିଥାନ୍ତି ।

ଅନ୍ୟପଟରେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ଉପାସନାର ଅନନ୍ୟ ପରମ୍ପରା ଆଜିଠାରୁ ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନାର ବିଧି ପ୍ରଚଳନ ରହିଛି । ଶାରଦୀୟ ପୂଜା ଅବସରରେ ବଡ଼ଦେଉଳରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନଭଣ୍ଡାରରୁ ମା’ ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ଆସି ସିଂହାସନରେ ବିଜେ ହୋଇଛନ୍ତି ।

ମା’ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯାଇଛି । ମା’ ଦୁର୍ଗା ମାଜଣା ମଣ୍ଡପକୁ ବିଜେ ହୋଇ ଠାକୁରାଣୀଙ୍କ କୁମ୍ଭାଭିଷେକ ହୋଇଛି । ପଞ୍ଚୋପଚାରରେ ପୂଜା ସରିବା ପରେ ମାଧବଙ୍କ ପ୍ରତିମୂର୍ତ୍ତିଙ୍କୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ କରାଯାଇଛି । ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଶ୍ରୀମନ୍ଦିର ସମ୍ମୁଖ ପଟରେ ଥିବା ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଶାରଦୀୟ ଦୁର୍ଗାପୂଜା ପରିପ୍ରେକ୍ଷୀରେ ଗଇଁଠାଳ ପଡ଼ି ଦୁର୍ଗା ମାଧବ ଏକତ୍ର ପୂଜା ପାଇବା ଏହି ମନ୍ଦିର ଭିନ୍ନ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ । ସେଥିପାଇଁ ଏହା ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ ହୋଇଥାଏ ।

nis-ad
Leave A Reply

Your email address will not be published.