ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି…

ସୁନ୍ଦରଗଡ଼, : ୨୬ ଡିସେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଲୋକମାନଙ୍କର ବିଭିନ୍ନ ଆପତ୍ତି, ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଯୁଗ୍ମ ଜନଶୁଣାଣିରେ ମୋଟ ୪୬ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୨ଟିର ସମାଧାନ ଜନଶୁଣାଣି ବେଳେ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରି ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜନଶୁଣାଣି କାର୍ଯ୍ୟକ୍ରମକୁ ବଡଗାଁ ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ଜନସାଧାରଣ ବିଭିନ୍ନ ଅଭିଯୋଗ ଓ ପ୍ରସ୍ତାବ ନେଇ ଆସିଥିଲେ। ସେଥିମଧ୍ୟରେ ରହିଥିଲା ବଡଗାଁଠାରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ପ୍ରସ୍ତାବ ସହିତ ରାସ୍ତା ନିର୍ମାଣ, ବିଦ୍ୟୁତ ଯୋଗାଣ, ପୋଖରୀ ପୁନରୁଦ୍ଧାର, ଜମିଜମା ସଂକ୍ରାନ୍ତୀୟ ଆଦି ସମସ୍ୟା।

ଏହି ଅବସରରେ ବଡ଼ଗାଁ ବ୍ଲକର ଦୁଇ ଜଣ ହିତାଧିକାରୀଙ୍କୁ ଅଧିକ ଚିକିତ୍ସା ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଜନଶୁଣାଣିରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ଅତିରିକ୍ତ ଏସପି ସୁରେନ୍ଦ୍ର ମାଝି, ଉପଜିଲ୍ଲାପାଳ ଦାଶରଥି ସରାବୁ, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ବଡଗାଁ ବ୍ଲକ ଅଧ୍ୟକ୍ଷା ଦୁଲାରୀ ସୋରେଙ୍ଗ, ବିଡିଓ କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.