ଭୟରେ ଆବାସିକ ସ୍କୁଲ ଛାଡୁଛନ୍ତି ଛାତ୍ରୀ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଛାତ୍ରୀ ରୋଜା ବେହେରାଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରଠାରୁ ଅନ୍ୟ ଛାତ୍ରୀମାନଙ୍କ ସମେତ ସେମାନଙ୍କ ଅଭିଭାବକ ଭୟଭୀତ ହୋଇପଡିଛନ୍ତି। ଦୁଇ ଦିନ ମଧ୍ୟରେ ୧୫ ଜଣ ଅଭିଭାବକ ସେମାନଙ୍କ ଝିଅମାନଙ୍କୁ ଘରକୁ ନେଇଯାଇଛନ୍ତି। ସ୍କୁଲରେ ମୋଟ ୧୪୬ ଛାତ୍ରୀଙ୍କ ପାଇଁ ୧୧ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୫ଜଣ। ଦୀର୍ଘ ଦିନ ହେଲା ଉକ୍ତ ଆବାସିକ ସ୍କୁଲରେ ୱାର୍ଡନ କିମ୍ବା ରାତି ଜଗୁଆଳି ନ ଥିବା ସହ ନିୟମିତ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ନାହାନ୍ତି। ଜଣେ ମହିଳା ପିଅନ ୱାର୍ଡନ ଓ ରାତି ଜଗୁଆଳି କାର୍ଯ୍ୟ କରୁଛନ୍ତି। ଛାତ୍ରୀ ମୃତ୍ୟୁ ଘଟଣାର ୩ ଦିନ ପରେ ବି ସ୍କୁଲ ଦାୟିତ୍ୱରେ ଥିବା ସଂଯୋଜକ ଆସିନାହାନ୍ତି। ସେଠାରେ କିପରି ବାଳିକାମାନେ ରହିଛନ୍ତି, ସେମାନଙ୍କ ସୁବିଧା ଅସୁବିଧା ତଦନ୍ତ କରିବା ସହ ସମସ୍ତ ବିଷୟରେ ବୁଝିବା ପାଇଁ ଜଣେ ସଂଯୋଜକ ରହିଛନ୍ତି ା କିନ୍ତୁ ସେ ନିଜର ଦାୟିତ୍ୱକୁ ଠିକଭାବେ ସଂପାଦନ କରୁନଥିବା ଅବିଭାବକମାନେ ଓ ଛାତ୍ରୀମାନେ ଅଭିଯୋଗ କରିଛନ୍ତି ା ତାଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ଦେଲାନି। ସୂଚନାଯୋଗ୍ୟ, ଶନିବାର ରାତିରେ ଦଶମ ଶ୍ରେଣୀ ଛାତ୍ରୀ ରୋଜାଙ୍କର ବାନ୍ତି ହେବାରୁ ୱାର୍ଡେନ ଓଷଧ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ରବିବାର ନିକଟସ୍ଥ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ରୋଜାଙ୍କ ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।

nis-ad
Leave A Reply

Your email address will not be published.