ରଟିଙ୍ଗିଆ ପଞ୍ଚାୟତରେ ଅନ୍ତର୍ଜାତୀୟ ପ୍ରବାସୀ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ସେବା, ନାୱ , ଆଇନା ଓ ଅନ୍ତରଙ୍ଗ, କନ୍ଧମାଳ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ପ୍ରବାସୀ ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ବିଷ୍ଣୁଦେବ ପ୍ରଧାନ ମୂଖ୍ୟ ଅତିଥି, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ମୁଖ୍ୟ ବକ୍ତା ଓ ଶ୍ରୀମତୀ ଡି. ସବନମ ଓ ସେବା ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ରିତାଞ୍ଜଳି ବଗର୍ତ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଗ୍ରାମାଞ୍ଚଳରୁ ଯୁବ ପୀଢ଼ି ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଦିନକୁ ଦିନ ଦାଦନ ଶ୍ରମିକ ବା କେଉଁ ପ୍ରବାସୀ ହେବା ପାଇଁ ବାଧ୍ୟ ହେଉଛନ୍ତି, ଏହାର କାରଣ ଆର୍ଥିକ ଓ ଦାରିଦ୍ର୍ୟକୁ ଦୂର କରିବା ପାଇଁ ପ୍ରବାସୀ ହେଉଥିବା ମତ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ। ଏହାର ସରକାରୀ ସୁବ୍ୟବସ୍ଥା କରିବା ଏବଂ ସମ୍ପୂର୍ଣ୍ଣ ଦାଦନ ଶ୍ରମିକ ମୁକ୍ତ କରିବା ବା ଏହି ବିଷୟରେ ସଚେତନତା କରିବା ଏହାର ମୂଳ ଉଦ୍ଦେଶ୍ୟ। ବିଭିନ୍ନ ସମସ୍ୟା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ପ୍ରାଥମିକ ସ୍ତରରେ ସରକାରଙ୍କ ନିକଟରେ ପଞ୍ଜିକରଣ କରି ପଞ୍ଚାୟତ ସ୍ତରରେ ତାହାର ତଥ୍ୟ ରଖିବା ବ୍ୟବସ୍ଥା ରହିଛି। ହେଲେ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ପାଇଁ ଯାଉଥିବା ବେଳେ କୌଣସି ପଞ୍ଜିକରଣ ହୋଇନଥିବା ଫଳରେ ଅନେକ ସମୟରେ ବିଭିନ୍ନ ସମସ୍ୟା ଭୋଗୁଥିବା ଦେଖିବାକୁ ମିଳୁଛି। ଯେମିତିକି କମ ମଜୁରୀ, ଅଧିକ ସମୟ କାମ କରିବା, ମାନସିକ ଓ ଶାରିରୀକ ଅତ୍ୟାଚାର ଏବଂ ଦୁର୍ଘଟଣା ହେଲେ ତାହାର କୌଣସି ସହାୟତା ନପାଇବା ଭଳି ସମସ୍ୟା ସହିତ ବେଳେ ବେଳେ ଦାଦନ ପାଇଁ ଯାଇଥିବା ବ୍ୟକ୍ତିଙ୍କ ମୃତସବ ଗାଁକୁ ଫେରିବା ଇତ୍ୟାଦି ଅସୁବିଧା ଦେଖା ଯାଉଛି। ବାହାର ରାଜ୍ୟକୁ ଯାଇ ବିଭିନ୍ନ କୁକାର୍ଯ୍ୟରେ ଲିପ୍ତ ହୋଇ ଟିବି, ଏଚ.ଆଇ.ଭି ଓ ଏଡ଼ସ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡୁଛି ଏହା ସହିତ ନିଶା ପାନ ଅଭ୍ୟାସ କରି ଅର୍ଥ ସଞ୍ଚୟ କରିପାରୁ ନଥିବାରୁ ମଧ୍ୟ ଦେଖାଯାଉଛି ବୋଲି ଅତିଥିମାନେ ଅଭି ଭାଷଣରେ କହିଥିଲେ। ନିଜ ଅଞ୍ଚଳରେ ବିଭିନ୍ନ ପନ୍ଥା, ସମ୍ବଳ ଓ ସମ୍ପଦ ଥିଲେ ସୁଦ୍ଧା ତାହାକୁ ବ୍ୟବହାର ପାଇଁ କୌଣସି ଇଚ୍ଛା ଶକ୍ତି କିମ୍ବା ସରକାରଙ୍କ ବିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନପାରି ଏପରି ନିଜ ପାଇଁ ସମସ୍ୟା ଆମନ୍ତ୍ରଣ କରୁଥିବା କହିଥିଲେ।
ଏହି ସଚେତନତାକୁ ବ୍ୟାପକ ରୂପ ଦେବା ପାଇଁ ପଞ୍ଚାୟତରେ ଏକ ସ୍ବତନ୍ତ୍ର ପ୍ରବାସୀ ପଞ୍ଜିକରଣ କେନ୍ଦ୍ର କରି ତାହାକୁ ତ୍ଵରାନିତ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେଇଛନ୍ତି। କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା, ପୁରୁଷ ଓ ଯୁବଗୋଷ୍ଠୀ ଯୋଗ ଦେଇଥିବା ବେଳେ ୱାର୍ଡ ସଭ୍ୟ ସଭ୍ୟା ଏବଂ ଓଡ଼ିଶା ଜୀବନ ଜୀବିକା ମିଶନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସେବା ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ରିତାଞ୍ଜଳୀ ବଗର୍ତ୍ତୀ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.