ଜିଲ୍ଲା ସ୍ତରୀୟ ଅଗ୍ନି ନିବାରଣ ଏବଂ ପ୍ରଶମନ ବୈଠକ ଅନୁଷ୍ଠିତ…

ଫୁଲବାଣୀ: ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସରକାର ଅଗ୍ନିଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସବୌଭୂମ ସମନ୍ଵୟ ରକ୍ଷା କରିବାକୁ ସ୍ଥିର କରିଛନ୍ତି ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କନ୍ଧମାଳ ଜିଲ୍ଲାରେ ଜାନୁଆରୀ ରୁ ଜୁନ୍, ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏହି କ୍ରମରେ, ସ୍ଥାନୀୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ଵରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଗ୍ନି ନିବାରଣ ଏବଂ ପ୍ରଶମନ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାରେ ଅଧିକାଂଶ ଲୋକ ଗଛ କାଟିବା ଓ ପୋଡ଼ୁ ଚାଷ କରିବା ଦ୍ୱାରା ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଉଛି ବୋଲି ବୁଝିସାରିଛନ୍ତି ଯେଉଁଥି ପାଇଁକି ଏହି ଜିଲ୍ଲାର ମୋଟ ୮ହଜାର ୨୧ବର୍ଗ କିଲୋମିଟର ଏରିଆ ମଧ୍ୟରୁ ପ୍ରାୟ ୬ହଜାର୩୬୮ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ରହିଛି । ଅର୍ଥାତ୍ ଜିଲ୍ଲାରେ ଶତକଡ଼ା ୭୯ ଭାଗ ଜଙ୍ଗଲ ରହିଛି । ଏହି ଜଙ୍ଗଲ ସେମାନଙ୍କର ଏବଂ ସେମାନେ ଭବିଷ୍ୟତରେ ଏଥୁରୁ ଲାଭବାନ ମଧ୍ୟ ହୋଇପାରିବେ ଯଦି ଜଙ୍ଗଲ ରହିଥିବ । ସେମାନେ ଯଦି ବୃକ୍ଷ ନ କାଟି ଓ ନିଆଁ ନ ଲଗାଇ କିଛି ଦାମୀ ଔଷଧୀୟ ବୃକ୍ଷ ଲଗାଇବେ ତେବେ ବହୁ ଲାଭବାନ ହୋଇପାରିବେ। ଚାଷ ପାଇଁ ଗଛ କାଟି ନିଆଁ ଲଗାଇଦେଲେ ସେମାନଙ୍କର ଳାଭ ବଦଳରେ କ୍ଷତି ହେଉଛି ବୋଲି ଜିଲ୍ଲାପାଳ କହିଥିଲେ । ସେଥ୍‌ପାଇଁ ଅଗ୍ନିଅସୁରକ୍ଷିତ ଅଞ୍ଚଳର ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକ ମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ । ସ୍ଵେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାବେ କାର୍ଯ୍ୟକରୁଥିବା କୌଶିକ ସାହୁ କହିଲେ, ଯେଉଁ ଅଞ୍ଚଳର ଲୋକମାନେ ଚାଷ ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ସେହିମାନଙ୍କୁ ବୁଝାଇବାକୁ ପଡ଼ିବ ଯେ, ସେମାନେ ଲାଭ ଅପେକ୍ଷା କ୍ଷତି କରିବାକୁ ଯାଉଛନ୍ତି । ଯଦି ସେମାନେ ବୁଝିପାରିବେ ଜଙ୍ଗଲ ସମ୍ପଦ ସେମାନଙ୍କୁ ଏବେ ଏବଂ ଆଗକୁ ସେମାନଙ୍କୁ ରୋଜଗାର ଦେଇପାରିବ ତେବେ ପୋଡ଼ୁଚାଷ ପ୍ରାୟ ବନ୍ଦ ହୋଇଯିବ । ଫଳରେ ଜଙ୍ଗଲ ଆଉ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରାଯାଇପାରିବ। ସେହିପରି ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ଵରାଜ୍ ପଣ୍ଡା କହିଲେ, ଜଙ୍ଗଲ କେବଳ ବନ ବିଭାଗର ନୁହେଁ ବରଂ ଏହା ଜଙ୍ଗଲରେ କିମ୍ବା ଜଙ୍ଗଲ ନିକଟରେ ବାସ କରୁଥିବା ଲୋକମାନଙ୍କର ସମ୍ପଦ । କାରଣ ସେମାନେ ଏହି ଏହି ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ତେଣୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧୂମାନଙ୍କ ପର୍ଯ୍ୟନ୍ତ ଏବଂ ବନ ବିଭାଗ ସମେତ ପ୍ରତ୍ୟେକ ବିଭାଗ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗଣ ମାଧ୍ୟମ ସମସ୍ତଙ୍କର ସହଯୋଗରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ । ସେ ନିଆଁ ୱାର୍ଥ ହାସଲ ପାଇଁ ଲାଗିଥାଉ କିମ୍ବା ଖଳ ପ୍ରକୃତିର ଲୋକମାନଙ୍କ ଦ୍ବାରା ଲଗାଯାଇଥାଉ ତାକୁ ଲିଭାଇବା ପାଇଁ ସମସ୍ତଙ୍କର ମିଶନ ହେଉ ବୋଲି ପଣ୍ଡା କହିଥିଲେ । ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍‌ ଏ ଦିଗରେ ଆହୁରି ସଚେତନତା ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲାର ପଞ୍ଚାୟତ ସମିତି ଗୁଡ଼ିକର ଅଧ୍ୟକ୍ଷ/ଅଧ୍ୟକ୍ଷା, ବନବିଭାଗର ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ବାତୀ, ପାହାଡ, ବନବାସୀ ସେବା ସମିତି ଇତ୍ୟାଦିର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପତିମାନେ ସେମାନଙ୍କର ମତ ରଖିବା ସହିତ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ ଯାହା ବନ ବିଭାଗର ଆକ୍‌ସନ୍ ପ୍ଲାନ୍‌ରେ ସ୍ଥାନ ପାଇବ। ଫୁଲବାଣୀ ଫରେଷ୍ଟ ଡିଭିଜନର ସହକାରୀ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ ପାୱାର ପଏଣ୍ଡ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ, ନିରାକରଣ ଓ ପ୍ରତିରୋଧ ପାଇଁ ବିଭିନ୍ନ ବିଭାଗର ଦାୟିତ୍ଵ ଏବଂ ୨୦୨୩ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରଚେଷ୍ଟା ଉପରେ ସୂଚନା ପ୍ରଦାନ କରିଥିଲେ ।ଉକ୍ତ ବୈଠକରେ, କନ୍ଧମାଳ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେଶ ସବର, ସହକାରୀ ବନ ସଂରକ୍ଷକ, ବାଲିଗୁଡ଼ା ସୌମ୍ୟରଞ୍ଜନ ସାହୁ, ସହକାରୀ ବନ ସଂରକ୍ଷକ, କେନ୍ଦୁଲିଫ୍ ଅନୀଲ କୁମାର ରାୟଙ୍କ ସମେତ ବନ ବିଭାଗ ତଥା ଅନ୍ୟ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.