ଅନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡ଼ା : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବାଲିପଦର ଆଞ୍ଚଳିକ ଡିଗ୍ରୀ କଲେଜ ପକ୍ଷରୁ ସ୍ବପରିସରରେ ଆୟୋଜିତ ୧୪ତମ ଅନ୍ତଃମହାବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବଂ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ପ୍ରାକ୍ତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ , କ୍ରୀଡା ପରିଷଦ ସମ୍ପାଦକ ପ୍ରଫେସର ଗଣେଶ ସେଠୀ , ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ କଲେଜର ୧୩ଟି ଦଳ ଅଂଶ ଗ୍ରହଣ କରିଥିବା ଏହି ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ଯାଚରେ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟ ଦଳ ୪୬-୧୬ ପଏଣ୍ଟରେ ଚିକିଟି କଲେଜ ଦଳକୁ ହରାଇ ଥିଲା । ସେହିପରି ଦ୍ବିତୀୟ ମ୍ଯାଚରେ ବାଲିପଦର କଲେଜ ଦଳ ଭଞ୍ଜନଗର କଲେଜ ଦଳକୁ ୩୭-୦୮ ପଏଣ୍ଟରେ ହରାଇଥିଲା । ମ୍ଯାଚ୍ ରେଫେରି ଭାବେ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ନିୟୋଜିତ ରହିଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜେଶ ମହାନ୍ତି ଓ ରବି ମିଶ୍ର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ବାଲିପଦର କଲେଜ କ୍ରୀଡା ସଂସ୍ଥାର ଉପସଭାପତି ଜିତେଶ୍ ରାଓ ଦୋରା , ଟିମ୍ ମ୍ଯାନେଜର ମିନତୀ ଆଚାରୀ, କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ ଓ କର୍ମଚାରୀ ନବଘନ ପ୍ରଧାନ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.