ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଟୁଡୁ

ଫୁଲବାଣୀ : ଆଦିବାସୀ କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି । ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମଙ୍ଗଳବାର ସକାଳେ ଫୁଲବାଣୀ ସହରରେ ଏକ ବିରାଟ ଶୋଭାଯାତ୍ରା ସହିତ ସାଧାରଣ ସଭା କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ । ହଜାର ହଜାର ଜନଜାତିଙ୍କ ସମେତ ନିଜେ କେନ୍ଦ୍ର ମନ୍ତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ଫୁଲବାଣୀର ମାଦିକୁନ୍ଦା ଛକରୁ ଆଦିବାସୀ ମାନେ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ଏହି ଅବସରରେ ସେମାନେ ବିର୍ସା ମୁଣ୍ଡା ଜିନ୍ଦାବାଦ, ଆଦିବାସୀ ଜିନ୍ଦାବାଦ ଓ ଭାରତ ମାତା କି ଜୟ ଭଳି ବିଭିନ୍ନ ନାରାବାଜି ସହିତ, ପାରମ୍ପରିକ ନାଚ ଗୀତ କରି ଫୁଲବାଣୀ ସହରର ସ୍ଥିତ କରୋନେସନ ପଡ଼ିଆରେ ଆସି ପହଞ୍ଚିଥିଲେ l କରୋନେସନ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଟ୍ରାଇଫେଡ଼ ଅଧକ୍ଷ ପବିତ୍ର କହଁର, ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ତଥା ଭାରତୀୟ ନଗରୀୟ କାର୍ଯ୍ୟ ପ୍ରମୁଖ ଭଗବାନ ସାହାଏ, ସମ୍ମାନୀତ ଅତିଥି ଭାବରେ ନୃପେନ୍ଦ୍ର କହଁର, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ସମେତ ବହୁ ଜନଜାତି ନେତା ମାନେ ଯୋଗ ଦେଇଥିଲେ । ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ସହିତ ସେମାନଙ୍କ ପରମ୍ପରାକୁ ଯଦି କେହି ଅଧିକ ଗୁରୁତ୍ୱ ଦେଇଛି ତାହା କେବଳ ଭାରତୀୟ ଜନତା ପାର୍ଟୀ ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ ନିଜ ଅଭିଭାଷଣରେ କହିବା ସହିତ କେନ୍ଦ୍ର ସରକାର, ଆଦିବାସୀ ମାନଙ୍କ ଭଗବାନ ବିର୍ସା ମୁଣ୍ଡଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ଭାବେ ମାନ୍ୟତା ଦେଇଛନ୍ତି । ତେଣୁ ଏଥିପାଇଁ ଆମେ ଆଜି ସରକାରୀ ଏବଂ ବେସରକାରୀ ସ୍ତରରେ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସକୁ ମହାଆଡମ୍ବରରେ ପାଳନ କରୁଛୁ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି, ଲିଙ୍ଗରାଜ ଦଳବେହେରା,ପରେଶ ମହାପାତ୍ର,ପ୍ରଣବ ନାୟକ, ରମେଶ ଚନ୍ଦ୍ର ସାହୁ, ରାମବିଶି ଦିଗାଲ, ଏବିଭିପି ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା,ସ୍ଵରୁପାନନ୍ଦ ପଟ୍ଟନାୟକ,ବିକ୍ରମ କହଁର ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଉକ୍ତ ସଭାକୁ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.