ଜମାରାଶି ଫେରସ୍ତ ଦାବିରେ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀଙ୍କ ଧାରଣା


ବୁଗୁଡ଼ା : ତା ୧୦/୧୧/୨୨ : ସ୍ଥାନୀୟ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନେ ଧାରଣା ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ଜମାକାରୀଙ୍କ ମେଚ୍ଯୁରିଟି ଟଙ୍କା ଫେରସ୍ତ ନ ହେବା ଯୋଗୁଁ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢୁଛି । ସାହାରା ଜମାକାରୀ ମଞ୍ଚର ରାଜ୍ୟସ୍ତରୀୟ ଉପସଭାପତି ସୁନିଲ କୁମାର ଦାଶଙ୍କ ନେତୃତ୍ତ୍ଵରେ ଜମାକାରୀମାନେ ଏକତ୍ରିତ ହୋଇ ବୁଗୁଡ଼ାସ୍ଥିତ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଗରିବଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବହୁ କଷ୍ଟରେ ଉପାର୍ଜିତ ଟଙ୍କାକୁ ବର୍ଷ ବର୍ଷ ଧରି ସାହାରାରେ ଜମା କରିଥିଲେ । କିନ୍ତୁ ଗତ ୨୦୧୨ ମସିହା ଠାରୁ ସାହାରା ଆଉ ଲୋକଙ୍କ ମେଚ୍ଯୁରିଟି ଟଙ୍କା ନ ଦେବା ଯୋଗୁଁ ଜମାକାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏ ନେଇ ସାହାରା କମ୍ପାନୀର ଶାଖା ପରିଚାଳକ , ଆଞ୍ଚଳିକ ପରିଚାଳକ ଓ ମଣ୍ଡଳ ପରିଚାଳକଙ୍କ ନିକଟରେ ଜମାରାଶି ଫେରସ୍ତ ପାଇଁ ଜମାକାରୀମାନେ ବାରମ୍ବାର ଦାବି କଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଆଗାମୀ ଦିନରେ କମ୍ପାନୀ ଯଦି ଜମାକାରୀଙ୍କ ଜମାରାଶି ଫେରସ୍ତ ନ କରନ୍ତି ତେବେ ରାଜ୍ୟର ସମସ୍ତ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଧାରଣା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଧାରଣାରେ ବୁଗୁଡ଼ା ସଭାପତି ଅଶୋକ କୁମାର ପାଢୀ , ସନ୍ତୋଷ କୁମାର ମହାରଣା , ଲକ୍ଷ୍ମୀ ନାରାୟଣ ମିଶ୍ର , ରତ୍ନାକର ବାଡତ୍ୟା , ପୁରୁଷୋତ୍ତମ ସାହୁ , କିଶୋର ଗୁରୁ , ନାରାୟଣ ନାୟକ , ସନ୍ଯାସୀ ମହାରଣା , ଭଜରାମ ବାରିକ ଓ ରାଘବ ବାରିକ ପ୍ରମୁଖ ସାମିଲ୍ ଥିଲେ ।

nis-ad
Leave A Reply

Your email address will not be published.