ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ନିଜ ମାଟିର ମୋହରେ ଭିନ୍ନତା ରହିଛି। ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ। ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ। ସ୍ଥାନୀୟ ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଏହା କହିଛନ୍ତି। ରାଷ୍ଟ୍ରପତି ‘ଜୟ ଜଗନ୍ନାଥ‘ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ହେଲା ପରେ ଜନ୍ମମାଟିକୁ ପ୍ରଥମ ଆଗମନ କରିଛି। ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି। ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

ରାଷ୍ଟ୍ରପତି କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାବାସୀଙ୍କ ନୁହଁନ୍ତି। ସେ ଭାରତ ଓ ବିଶ୍ବବାସୀଙ୍କ ପାଇଁ। ତେଣୁ ବିଶ୍ବର କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି। ଦାତାପଣରେ ଜଗନ୍ନାଥଙ୍କ ସମକକ୍ଷ କେହି ହୋଇପାରିବେ ନାହିଁ। ପୁରୀରେ ଏଏସ୍ଆଇର କାର୍ଯ୍ୟାଳୟ ଖୋଲିବା ନେଇ ଦାବି ହୋଇଥିଲା। ପୁରୀରେ ନୂଆ ସର୍କଲ ଅଫିସ ଖୋଲାଯାଇଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଉଛି।

ଭାରତର ପ୍ରତି ପ୍ରଦେଶ ମୋର ବେଶ ଆପଣାର ହୋଇପାରିଛି। ଭାରତର ମାଟି ସୁନା ଭଳି। ଭାରତର ପ୍ରତି ବୃକ୍ଷ କଳ୍ପବଟ। ଭାରତର ଯେଉଁଠି ଥିଲେ ବି ତାହା ମୋର ଘର। ଗୋପବନ୍ଧୁଙ୍କ ଲେଖା ମୋତେ ଅନୁପ୍ରାଣିତ କରିଛି। ନିଜ ଅଞ୍ଚଳର ସବୁକିଛି ନିଆରା। ଓଡ଼ିଶା ଆସି ବହୁତ ଖୁସି ଲାଗୁଛି। ଚିଳିକା ପରି ହ୍ରଦ, ଶିମିଳିପାଳ ଭଳି ବୃହତ ଜୈବବିବିଧତା ଓଡ଼ିଶାର ଭୂଗୋଳକୁ ବଡ଼ ଅବଦାନ ରହିଛି। ଅହିଂସାର ସ୍ବର ଓଡ଼ିଶା ମାଟିରୁ ଶୁଭିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହା ପୂର୍ବରୁ ରାଷ୍ଟ୍ରପତି ଦୟାନଦୀ କୂଳରେ ଘଟିଥିବା ରକ୍ତପାତ ଘଟଣା, ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ଓ ଓଡ଼ିଶାର ନୌବାଣିଜ୍ୟ ପରଂପରାକୁ ମନେ ପକାଇଥିଲେ। ସେ କହିଥିଲେ ଭାଷାଭିତ୍ତିକ ଭାବେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ବ୍ରିଟିଶ ବିରୋଧୀ ଆନ୍ଦୋନଳ ଓଡ଼ିଶାରୁ ଆରମ୍ଭ ହୋଇଥିଲା। ପାଇକ ବିଦ୍ରୋହରେ ଓଡ଼ିଶା ସାମିଲ ହୋଇଥିଲା। ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ରମାଦେବୀ, ମାଳତୀ ଦେବୀ ଓ ସରଳା ଦେବୀ ସ୍ବାଧୀନତା ସଂଗ୍ରାମକୁ ଆହୁରି ବଳ ଦେଇଥିଲେ। ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ ମଧ୍ୟ ସକ୍ରିୟ ଥିଲା। ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଭଦ୍ରକ ଜିଲ୍ଲାର ରକ୍ତତୀର୍ଥ ’ଇରମ’ରେ ୨୯ ଜଣ ସହିଦ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ଡ ହରେକୃଷ୍ଣ ମହତାବଙ୍କ ଅବଦାନକୁ ଭୁଲିହେବ ନାହିଁ।

ଭାରତର ୮ଟି ଶାସ୍ତ୍ରୀୟ ସଂଗୀତ ମଧ୍ୟରୁ ଓଡ଼ିଶୀ ଅନ୍ୟତମ। ସେହିପରି ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଓଡ଼ିଶାର ଆଞ୍ଚଳିକ ଗୀତ ଦେଶର ନୃତ୍ୟକୁ ମଧ୍ୟ ସମୃଦ୍ଧ କରିଛି। ଭାରତର ଭାସ୍କର୍ଯ୍ୟକୁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ। ଓଡ଼ିଶା ଆଉ ୧୪ ବର୍ଷ ପରେ ଶତବାର୍ଷିକ ପାଳନ କରିବ। ତେଣୁ ଏହି ସମୟ ଗୁରୁତ୍ବପୂର୍ଣ୍ଣ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା।  ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋଟ୍ର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ ଓ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ମେୟର ସୁଲୋଚନା ଦାସ ମଂଚାସୀନ ଥିଲେ।

nis-ad
Leave A Reply

Your email address will not be published.