ଚାଷୀଙ୍କୁ ଚାରା ଦିଆଯାଇଛି ହେଲେ ତାରବାଡ଼ ମିଳିବ କେବେ

ଦାରିଙ୍ଗବାଡ଼ି,୩/୧୧ : ଦାରିଙ୍ଗବାଡ଼ିରେ ମନରେଗା ଯୋଜନା ଦିନ କୁ ଦିନ ପଥଭ୍ରଷ୍ଟ ହେବାକୁ ଲାଗିଲାଣି। ମନରେଗା ଯୋଜନାରେ କେତେବେଳେ ଦୁର୍ନୀତି ହେଉଛି ତ ଆଉ କେତେବେଳେ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ। ଏହାରି ଫଳରେ ମନରେଗା ଯୋଜନାରେ କାମ କରିଥିବା ହିତାଧିକାରୀ ହୁଅନ୍ତୁ ଅବା ଚାଷୀ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି କିଛି ସମସ୍ୟା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ । ଏହି ବ୍ଲକ ଅଂଚଳରେ ଅନେକ ଚାଷୀ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ଫଳ ଚାଷ ସହ ଅନ୍ୟାନ୍ୟ ଚାଷ କରିଛନ୍ତି। ହେଲେ ପ୍ରଶାସନ ଚାରା ଯୋଗାଇ ଦେଇଥିବା ବେଳେ ତାରବାଡ଼ ଦେବାକୁ ଭୁଲିଯାଇଛି । ବାଲିଗୁଡା ଆଇଟିଡ଼ିଏ ପକ୍ଷରୁ ୧୮ ଜଣ ଚାଷୀଙ୍କୁ ଆମ୍ବ,କାଜୁ ଚାଷ ନିମନ୍ତେ ଚାରା ପ୍ରଦାନ କରାଯାଇଥିବା ବେଳେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମଧ୍ୟ ୧୮ ଜଣ ଚାଷୀଙ୍କୁ ଝାଡୁ ଓ କଫି ଚାଷ ନିମନ୍ତେ ଚାରା ପ୍ରଦାନ କରାଯାଇଛି । ଏହିପରି ଭାବେ ଉଦ୍ୟାନ ବିଭାଗ ପକ୍ଷରୁ ୬୧ ଜଣ ଚାଷୀଙ୍କୁ ଆମ୍ବ, କାଜୁ, ଲିଚୁ, କଫି ଚାଷ ନିମନ୍ତେ ଚାରା ପ୍ରଦାନ କରାଯାଛି। ବିଭାଗ ପକ୍ଷରୁ ଚାରା ପ୍ରଦାନ କରାଯିବା ପରେ ଚାଷୀମାନେ ଜମିକୁ ସଫା କରି ଦୁଇ ମାସ ରୁ ତିନି ମାସ ହେବ ଚାରା ରୋପଣ କରିଥିଲେ। ଏପରିକି ଗଛକୁ ସୁରକ୍ଷା ଦେବା ନିମନ୍ତେ ତାର ବାଡ଼ ବୁଲେଇବା ନିମନ୍ତେ ଚାଷୀ ମାନେ ଜମିରେ ଖୁଣ୍ଟ ମଧ୍ୟ ପୋତିସାରିଲେଣି । ଚାଷୀଙ୍କୁ ତାରବାଡ଼ ଦେବାର ପ୍ରାବଧାନ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ଚାଷୀଙ୍କୁ ତାର ବାଡ଼ ମିଳିନାହିଁ। ଯାହାରି ଫଳରେ ଚାଷୀ ମାନେ ସଠିକ ଭାବେ ଚାରାକୁ ସୁରକ୍ଷା ଦେଇପାରୁନାହାନ୍ତି । ତାରବାଡ଼ ଦିଆଯାଇନଥିବା ଫଳରେ ଅଧିକାଂଶ ଚାରା ଗୁଡାକୁ ଗାଇ, ଛେଳି ସହ ଅନ୍ୟାନ୍ୟ ଜଙ୍ଗଲୀ ଜୀବଜନ୍ତୁ ନଷ୍ଟ କରିଦେଉଛନ୍ତି। ଯାହାରି ଫଳରେ ଚାରାରୋପଣ ଲକ୍ଷ୍ୟ ସଠିକ ଭାବେ ପୂରଣ ହୋଇପାରୁନାହିଁ। ସରକାରୀ ଅର୍ଥ ଅଯଥାରେ ଖର୍ଚ୍ଚ ହଉଚି। ଏଭଳି ଭାବେ ଯଦି ତାର ବାଡ଼ ଯଥା ଶୀଘ୍ର ଚାଷୀଙ୍କୁ ପ୍ରଦାନ କରାନଯାଏ ତାହାଲେ ଚାରା ଗୁଡାକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏଣୁ ଯଥା ଶୀଘ୍ର ତାରବାଡ଼ ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି। ଏପାଖରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଚାଷୀ ମାନଙ୍କୁ କୌଣସି କ୍ଷେତ୍ରରେ ଅବହେଳା କରାଯିବନାହିଁ କହିବା ସହିତ ଚାଷୀଙ୍କୁ ଅତିଶୀଘ୍ର ତାରବାଡ଼ ଯୋଗାଇ ଦିଆଯିବ ବୋଲି କହିଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.