ସାଇକେଲଚୋର ଯୋଡିକୁ କାବୁ କଲେ ଲୋକେ, ପୋଲିସକୁ ଦେଲେ ଜିମା

ବୁଗୁଡ଼ା : ଦୀର୍ଘ ଦିନ ହେଲା ବୁଗୁଡ଼ା ସହରରେ ସାଇକେଲ ଚୋରି ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା ବେଳେ ଆଜି ଅପରାହ୍ନରେ ଦୁଇ ଜଣ ସାଇକେଲ ଚୋରଙ୍କୁ ଲୋକେ ଧରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ ଏକ ତେଜରାତି ଦୋକାନ ସମ୍ମୁଖରେ ସାଇକେଲଟିକୁ ରଖି ଖୋଳଖାଳି ଗ୍ରାମର ଅମର ନାୟକ ଦୋକାନ ଭିତରକୁ ଯାଇ ଜିନିଷ କିଣି ଫେରିବା ବେଳକୁ ସାଇକେଲଟି ସେଠାରେ ନଥିଲା । ସେ ବିଚଳିତ ହୋଇ ସାଇକେଲଟିକୁ କିଏ ଭୁଲରେ ନେଇ ଯାଇଥିବ ଭାବି ସିସିଟିଭି ଯାଞ୍ଚ କରିଥିଲେ । ସେଥିରେ ଲାଲ୍ ସାର୍ଟ ପିନ୍ଧିଥିବା ଦୁଇ ଜଣ ବ୍ଯକ୍ତି କୌଶଳରେ ସାଇକେଲଟିକୁ ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଏହା ପରେ ଆଖପାଖରେ ସାଇକେଲଟିକୁ ଖୋଜା ଚାଲିଥିବା ବେଳେ କିଛି ଦୂରରେ ସେମାନଙ୍କ ମଧ୍ୟରୁ ଜଣେ ଛିଡା ହୋଇ ଫୋନରେ କଥାବାର୍ତ୍ତା ହେଉଥିଲେ । ଲୋକେ ଯାଇ ତାକୁ କାବୁ କରି ତା’ଠାରୁ ଅନ୍ୟ ଜଣଙ୍କ ପତ୍ତା ପାଇ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଲୁଚିଥିବା ଅବସ୍ଥାରେ ତାକୁ ମଧ୍ଯ କାବୁ କରିଥିଲେ । ଏହାପରେ ପୋଲିସକୁ ଡକାଇ ଚୋର ଯୋଡିକୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ବୁଗୁଡା ଥାନାରେ ଅମରଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.