ଗୁରୁଣ୍ଡିଆ ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ବଣାଇଁ ବିଧାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ…

ସୁନ୍ଦରଗଡ଼ //ରାଉରକେଲା : ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଗୁରୁଣ୍ଡିଆ ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଏହି ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ।

ବିଧାୟକ ଏବଂ ଜିଲ୍ଲାପାଳ ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରୋଗୀମାନଙ୍କୁ ମିଳୁଥିବା ଚିକିତ୍ସା ସେବା ବିଷୟରେ ଡାକ୍ତରଙ୍କ ସହ କଥା ହୋଇଥିଲେ। ପରେ ପରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହିଥିବା ମା’ଗୃହକୁ ଯାଇ ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କ ସୁବିଧା ଅସୁବିଧା ବିଷୟରେ ସେମାନଙ୍କୁ ଜିଲ୍ଲାପାଳ ସିଧାଳସଳଖ ପଚାରି ବୁଝିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ଅତ୍ୟାଧୁନିକ ଭୌତିକ ଚିକିତ୍ସା ସେବା ଯୋଗାଇଦେବା ଲାଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଉଛି। ଗୁରୁଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି କେନ୍ଦ୍ରକୁ ବିଧାୟକ ଏବଂ ଜିଲ୍ଲାପାଳ ବୁଲି ଦେଖିଥିଲେ।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସରକାରୀ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କରାଯାଉଛି। ଏହି କ୍ରମରେ ଗୁରୁଣ୍ଡିଆର ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଚାଲିଛି। ବଣାଇଁ ବିଧାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ହାଇସ୍କୁଲ ପରିଦର୍ଶନ କରି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ସ୍ମାର୍ଟ କ୍ଲାସରୁମରେ ଚାଲିଥିବା ପାଠପଢ଼ା ବିଷୟରେ ଛାତ୍ରଛାତ୍ରୀମାନଙ୍କଠାରୁ ପଚାରି ବୁଝିଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଗହଳିର ଯେଉଁ ପିଲାମାନେ ହକି ଖେଳ ପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି ସେମାନଙ୍କ ଅଭ୍ୟାସ ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ହକି ପଡ଼ିଆ ନିର୍ମାଣ କରାଯାଉଛି। ଏଥିରେ ଅନ୍ତର୍ଜାତୀୟ ମାନର ଟର୍ଫ ପକା ଯାଉଛି। ଗୁରୁଣ୍ଡିଆ ବ୍ଲକରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଜିଲ୍ଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା,ବଣାଇଁ ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଗୁରୁଣ୍ଡିଆ ବିଡିଓ ବର୍ଣ୍ଣାଡିଥ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.