ଗୁରୁଣ୍ଡିଆଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ /ରାଉରକେଲା :୧୯ ସେପ୍ଟେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଜନଶୁଣାଣିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ଶ୍ରୀଯୁକ୍ତ ମୁକେଶ କୁମାର ଭାମୁ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଜନଶୁଣାଣି କାର୍ଯ୍ୟକ୍ରମରେ ୧୨୩ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜିଲ୍ଲାପାଳ ୨୧ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଶୀଘ୍ର କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଗୁରୁଣ୍ଡିଆ ବ୍ଳକର ୨୦ଟି ଗ୍ରାମପଞ୍ଚାୟତ ଏବଂ ବୀରମିତ୍ରପୁର ପୌରପାଳିକାରୁ କେତେକ ଲୋକ ବିଭିନ୍ନ ଅଭିଯୋଗ ନେଇ ଆସିଥିଲେ। ସେଥିମଧ୍ୟରେ ଆବାସ ଯୋଜନା, ରାସ୍ତା, ଡ୍ରେନ, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଜମିଜମା ବିବାଦ, ରାସନ କାର୍ଡ, ଶୌଚାଳୟ, ପୋଖରୀ ପୁନରୁଦ୍ଧାର ଆଦି ସମସ୍ୟା ରହିଥିଲା।

ଏହି ଅବସରରେ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ତିନି ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। ଏହାଛଡ଼ା ତିନି ଜଣଙ୍କୁ ହୁଇଲ ଚେୟାର, ତିନି ଜଣଙ୍କୁ ୱାକିଂ ଷ୍ଟିକ ଏବଂ ପାଞ୍ଚ ଜଣଙ୍କୁ ଭତ୍ତା ପାଇବା ଲାଗି କାର୍ଡ ପ୍ରଦାନ କରାଯାଇଛି।

ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ଡିଏମଏଫ ସିଇଓ ରିତା ଡାଙ୍ଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀ ରାଣୀ ନାୟକ, ଗୁରୁଣ୍ଡିଆ ବ୍ଲକ ଅଧ୍ୟକ୍ଷା ଜେରାଜିନି ବୁଡ଼, ଗୁରୁଣ୍ଡିଆ ବିଡିଓ ବର୍ଣ୍ଣାଡିଥ ଲାକ୍ରାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସ୍ୱଚ୍ଛ ଭାରତ ମିଶନ ଅଧୀନରେ ‘ସ୍ୱଚ୍ଛତା ହିଁ ସେବା’ର ବାର୍ତ୍ତା ନେଇ ଗୁରୁଣ୍ଡିଆ ବ୍ଲକରେ ଗାଁକୁ ଗାଁ ସ୍ୱଚ୍ଛତା ରଥ ବୁଲିବ। ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ଲୋକଙ୍କୁ ସଚେତନ କରାଯିବ। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଗୁରୁଣ୍ଡିଆଠାରେ ସ୍ୱଚ୍ଛତା ରଥର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଗୁରୁଣ୍ଡିଆ ବ୍ଲକର ଘର ଘର ବୁଲି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରିବା ଲାଗି ୨୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.