ବିପଦ ସଙ୍କୁଳ କୋଠାରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ


ଅଭିଭାବକ ବୈଠକରେ ନିଷ୍ପତ୍ତି ୨୦ ସେପ୍ଟେମ୍ବରରେ ଜିଲ୍ଲାପାଳଙ୍କୁ ଭେଟିବେ : ନବନିର୍ମିତ କୋଠାକୁ ତୁରନ୍ତ ସ୍ଥାନାନ୍ତରଣ ନହେଲେ, ପିଲାଙ୍କୁ ସ୍କୁଲ ପଠାଯିବ ନାହିଁ
ଆସିକା (୧୮/୦୯) : କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ଅଭିଭାବକ ମାନଙ୍କ ଏକ ଜରୁରୀ ବୈଠକ ଆସିକା ସ୍ଥିତ ଓଡିଆ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ୨୦୧୦ ମସିହାରୁ କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରାବାସରେ ଆରମ୍ଭ ହୋଇଥିଲା। ଜରାଜୀର୍ଣ୍ଣ ଛାତ୍ରାବାସକୁ ମରାମତି କରି କେନ୍ଦ୍ରୀୟ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଛି। କୋଠା ରୁ ବାରମ୍ବାର କଂକ୍ରିଟ ଖଣ୍ଡ ଖସି ଛାତ୍ରଛାତ୍ରୀ ଓ ଷ୍ଟାଫ୍ ମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଭିଭାବକ ମାନେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ ନବନିର୍ମିତ କୋଠା ପାଇଁ ଅନୁଦାନ ସହ କାମ ଆରମ୍ଭ ହୋଇଥିଲା। ୧୭ କୋଟି ଟଙ୍କା ବ୍ୟୟରେ ନବନିର୍ମିତ କୋଠା ଗତ ମାର୍ଚ୍ଚ ମାସ ପୂର୍ବରୁ ସଂପୂର୍ଣ୍ଣ ହେବାସତ୍ବେ ଛାତ୍ରଛାତ୍ରୀ ଓ ଷ୍ଟାଫ୍ ଙ୍କ ଜୀବନ ପ୍ରତି ବିପଦ ଥିବା କୋଠା ରୁ ନବନିର୍ମିତ କୋଠାକୁ ସ୍ଥାନାନ୍ତରିତ ହୋଇନାହିଁ। ଏହାରି ମଧ୍ୟରେ ଜଣେ ଦୁଇଜଣ ଛାତ୍ର ଆଘାତ ହେବା ସହ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି। ନବନିର୍ମିତ କୋଠା କୁ ସ୍ଥାନାନ୍ତରିତ ନହେବାରୁ ୨୦୨୧-୨୨ ରେ ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ +୨ରେ ଆଡ଼ମିଶନ ହେବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଶେଷରେ କେତେକ ଅଭିଭାବକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବ୍ରହ୍ମପୁର ରେ ହାତଗଣତି କେତେକ ଛାତ୍ରଛାତ୍ରୀ ଆଡ଼ମିଶନ ହୋଇଥିଲେ । ଗତ କିଛି ଦିନ ଧରି ସ୍ଥାୟୀ ପ୍ରିନସିପାଲ ନଥିବା ଯୋଗୁଁ ପାଠପଢ଼ା କ୍ଷେତ୍ରରେ ଘୋର ଅବ୍ୟବସ୍ଥା ହେବା ସହ ନବନିର୍ମିତ କୋଠା କୁ ସ୍ଥାନାନ୍ତର କରିବା କ୍ଷେତ୍ରରେ ସମୟ ପରେ ସମୟ ଗଡିଚାଲିଛି । ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀ ଜୀବନ ପ୍ରତି ଦୁରଦୃଷ୍ଟି ଅଭାବରୁ ପ୍ରତିଟି ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅନୁଭବ କରି ଅଭିଭାବକ ମାନେ ଏକତ୍ରିତ ହୋଇ ଗତ ୯ ସେପ୍ଟେମ୍ବର ୨୦୨୨ ରେ ପ୍ରିନସିପାଲ ଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହା ମଧ୍ୟରେ ୮ ଦିନ ଅତିକ୍ରାନ୍ତ ହେବା ସତ୍ତ୍ୱେ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ ଗତ ୧୫ ସେପ୍ଟେମ୍ବରରେ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଆସିଷ୍ଟାଣ୍ଟ କମିଶନଙ୍କୁ ଅଭିଭାବକ ମାନେ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ଦାୟିତ୍ଵ ପ୍ରାପ୍ତ ପ୍ରିନସପାଲ ଏସ କେ ମହାରାଜ ମନା କରିଥିଲେ। ଏହା ସମସ୍ତ ଅଭିଭାବକ ମାନଙ୍କୁ ବ୍ୟଥିତ କରିଥିଲା। ସମସ୍ତ ଅଭିଭାବକ ଏକତ୍ରିତ ହୋଇ ଆଜି ଆଜି ବିପଦ ସଙ୍କୁଳ କୋଠାରୁ ନବନିର୍ମିତ କୋଠାକୁ ତୁରନ୍ତ ସ୍ଥାନାନ୍ତରଣ, +୨ ତୁରନ୍ତ ଆରମ୍ଭ କରିବା, ସ୍ଥାୟୀ ପ୍ରିନସିପାଲ ତୁରନ୍ତ ନିଯୁକ୍ତି ଏବଂ ଅନ୍ୟାନ୍ୟ ସମସ୍ୟା ପ୍ରତି ସୁବିସ୍ତୃତ ଆଲୋଚନା ହୋଇଥିଲା। ସମସ୍ତ ଅଭିଭାବକ ନିଜ ପିଲାମାନଙ୍କ ଓ ଷ୍ଟାଫ୍ ମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ କ୍ଷୋଭ ପ୍ରକାଶ କରିଥିଲେ । ଆସନ୍ତା ୨୦ ସେପ୍ଟେମ୍ବର ୨୦୨୨ ରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବା ପାଇଁ ଆଜିର ବୈଠକ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଥିବା ବିପଦରୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ । ଜିଲ୍ଲାପାଳ ସହୃଦୟତାର ସହ ଏ ସମସ୍ୟାର ସ୍ଥାୟୀ ସମାଧାନ ପୂଜା ଛୁଟି ପୂର୍ବରୁ କରିବାରେ ବିଫଳ ହେଲେ, ସମସ୍ତ ଅଭିଭାବକ କେନ୍ଦ୍ରୀୟ ବିଦ୍ୟାଳୟ କୁ ପିଲାଙ୍କୁ ନ ପଠାଇ ସ୍କୁଲ ସମ୍ମୁଖରେ ଧାରଣା ପ୍ରଦାନ କରାଯିବ । ଏହି ବୈଠକରେ ବହୁ ଅଞ୍ଚଳର ଅଭିଭାବକ ଆସି ଯୋଗ ଦେଇଥିଲେ। ଏହି ବୈଠକରେ ବିଶ୍ବେଶ୍ବର ପ୍ରଧାନ, ବିଶ୍ଵନାଥ ସେଠୀ, ଶ୍ୟାମସୁନ୍ଦର ପାଢ଼ୀ, ସନ୍ତୋଷ ସେଠୀ, ଶଙ୍କର ସାହୁ, ଶୁକାନ୍ତ କୁମାର ଜେନା, ଅରୁଣ କୁମାର ସେଠୀ, ମିହିର କାନ୍ତ ସାହୁ, ଅକ୍ଷୟ ସ୍ବାଇଁ, ଅଶୋକ କୁମାର ବିଶ୍ବାଳ, ସୁନିଳ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ଜାନି, ଏସ କେ ମହାନ୍ତି ଆଦି ବହୁ ଅଭିଭାବକ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ ।

nis-ad
Leave A Reply

Your email address will not be published.