ବୁଡାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ଅନୁପସ୍ଥିତ ରହୁଥିବାରୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ଦାରିଙ୍ଗବାଡ଼ି(୨୫/୮) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନ ଦିନ ଧରି ଡାକ୍ତର ଓ ଫାର୍ମାସିଷ୍ଟ ଅନୁପସ୍ଥିତ ରହୁଥିବା ନେଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରେ ବୁଡାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଦଳ ସାକ୍ଷାତ କରି ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରି ଲିଖିତ ଅଭିଯୋଗ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଳକର ୩ଟି ଗ୍ରାମ ପଞ୍ଚାୟତ ଗୁମିକିଆ ,ତିଲୋରୀ ଓ ବୁଡାଗୁଡ଼ାଗ୍ରାମ ପଞ୍ଚାୟତ ସହିତ କୋଠଗଡ଼ ବ୍ଳକର ୨ଟି ଗ୍ରାମ ପଞ୍ଚାୟତ ପକାରୀ ଓ ପାରିଗଡ଼ ଏବଂ ବାଲିଗୁଡ଼ା ବ୍ଳକର ଗୋଟିଏ ପଞ୍ଚାୟତ ଋତୁଙ୍ଗିଆ ଏହିପରି ୬ଟି ଗ୍ରାମ ପଞ୍ଚାୟତର ପାଖାପାଖି ୧୮ହଜାର ରୁ ଉର୍ଦ୍ଧ ଜନସଂଖ୍ୟା କୁ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ସଚେତନ ଓ ପ୍ରସୂତି ସୁବିଧା ଯୋଗାଇ ଦେବା ପାଇଁ ବୁଡାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ହେଲେ ନିଯୁକ୍ତି ପାଇଥିବା ଡାକ୍ତର ଓ ଫାର୍ମାସିଷ୍ଟ ଦିନଦିନ ଧରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବାରୁ  ଜରୁରୀ ସ୍ୱାସ୍ଥ୍ୟ ସେବା ସହ ସ୍ୱାସ୍ଥ୍ୟ ସଚେତନ ଓ ପ୍ରସୂତି ସୁବିଧା ପାଇବାରୁ ବଞ୍ଚିତ ହୋଇ ନାହିଁନଥିବା ସମସ୍ୟା ରେ ପଡ଼ୁଥିବା ଅଭିଯୋଗ ହେଉଛି ।  ଏଥିପାଇଁ ବାଲିଗୁଡ଼ା, ଫୁଲବାଣୀ ମେଡିକାଲକୁ ଯିବାକୁ ବାଧ୍ୟ ହୋଇ ଶାରୀରିକ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ବାର ଅଞ୍ଚଳ ବାସୀ ଏହି ସମସ୍ୟା ସମ୍ପର୍କରେ ଦାରିଙ୍ଗବାଡ଼ି ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଧାର ଆସିନାହିଁ।  କେବଳ ଉପସ୍ଥାନ ଦସ୍ତଖତ କରିଦେଇ ରହୁଥିବା ଅଭିଯୋଗ ହେଉଛି । ଏଣୁ ଶେଷରେ ବାଧ୍ୟ ହୋଇ ବୁଡାଗୁଡ଼ା ସରପଞ୍ଚଙ୍କ ଓ ସମିତିସଭ୍ୟ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ଉକ୍ତ ୩ଟି ବ୍ଳକ ଦାରିଙ୍ଗବାଡ଼ି,କୋଠଗଡ଼ ଓ ବାଲିଗୁଡ଼ାର  ଆଭ୍ୟନ୍ତରୀଣ ଇଲାକାର ୬ଟି ଗ୍ରାମ ପଞ୍ଚାୟତ ଅଟେ ।ଅନେକ ନଜିର ରହିଛି ଯାହାକି ଜରୁରୀ ସ୍ୱାସ୍ଥ୍ୟ ସେବା ତଥା ରାତିଅଧିଆ ଦୁର୍ଘଟଣା, ପ୍ରସୂତି ବେଦନା ଭଳି ରୋଗୀ ସେବା ପାଇବାରୁ ବଞ୍ଚିତ ହୋଇ ଜୀବନ ଯାଇଛି। ହେଲେ ବର୍ତ୍ତମାନ ବୁଡ଼ାଗୁଡା ବଜାରରେ ଥିବା ଏକ ଏକମାତ୍ର ମେଡ଼ିସିନ ଦୋକାନ ଅଞ୍ଚଳ ବାସୀଙ୍କ ପାଇଁ ସହାରା ସାଜିଛି। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଉକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବୀ ହେଉଛି ।

nis-ad
Leave A Reply

Your email address will not be published.