ଓମ୍ବାଡିସିର ୬ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ୧୭୫୨ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ (ଓମ୍ବାଡିସି) ର ନିର୍ଦ୍ଦେଶକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ଏବଂ ଓମ୍ବାଡ୍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି.ରାଜେଶ ବିଭିନ୍ନ ବିଭାଗରୁ ମିଳିଥିବା ନୂଆ ପ୍ରକଳ୍ପଗୁଡିକ ଉପସ୍ଥାପନ କରିଥିଲେ ।

ସମୁଦାୟ ୬ଟି ପ୍ରକଳ୍ପକୁ ମହାପାତ୍ର ଅନୁମୋଦନ ଦେଇଥିଲେ । ଏହିସବୁ ପ୍ରକଳ୍ପ ପାଇଁ ପ୍ରାୟ ୧,୭୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଅଧିକ ସଂଖ୍ୟାରେ ଜୀବିକା ନିର୍ବାହ କୌଶଳ ବିକାଶ ଏବଂ ନୂଆ ଆୟ ପନ୍ଥା ସମ୍ବନ୍ଧିତ ପ୍ରକଳ୍ପ ସୁପାରିଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୌଶଳ ବିକାଶ ବିଭାଗ ସହଭାଗିତାରେ ଖଣି କାର୍ଯ୍ୟ ପ୍ରଭାବିତ ଅଂଚଳର ଯୁବକ ଯୁବତୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର କୌଶଳ ବିକାଶ ପ୍ରକଳ୍ପ ଆରମ୍ଭ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିଗମକୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଖଣି ଓ ଇସ୍ପାତ୍ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ପଂଚାୟତି ରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବିଦତ୍ତ ବିଶ୍ୱାଳଙ୍କ ସମେତ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବୋର୍ଡର ନିର୍ଦ୍ଦେଶକମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.