ରାଜ୍ୟରେ ୯୨ ହଜାର ଶିଶୁ ଶ୍ରମିକ, କୋଭିଡ୍‌ରେ ବାପା ମାଆଙ୍କୁ ହରାଇଛନ୍ତି ୯୮୮ ପିଲା

ଭୁବନେଶ୍ଵର, ୨୦/୦୭ : ରାଜ୍ୟରେ ଶିଶୁ ଶ୍ରମିକ ଓ କୋଭିଡ୍‌ରେ ବାପା ମାଆଙ୍କୁ ହରାଇଥିବା ପିଲା ପ୍ରସଙ୍ଗରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ୨୦୧୧ ଜନଗଣନା ଅନୁସାରେ ୯୨ ହଜାର ୮୭ ଶିଶୁ ଶ୍ରମିକ ରହିଛନ୍ତି। ଶିଶୁ ଶ୍ରମିକ ନିଷେଧ ନିମନ୍ତେ ରାଜ୍ୟ ସରକାର ଅନ୍ୟ ବିଭାଗମାନଙ୍କର ସମନ୍ଵୟରେ ଏକ ଷ୍ଟେଟ୍ ଆକ୍ସନ ପ୍ଲାନ ଫର ଏଲିମିନେସନ ଅଫ୍ ଚାଇଲ୍ଡ ଲେବର କାର୍ଯ୍ୟକାରୀ କରୁଛନ୍ତି।

କୋଭିଡ୍‌ରେ ବାପା ମାଆଙ୍କୁ ହରାଇଥିବା ପିଲା ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍‌ରେ ବାପା ମାଆଙ୍କୁ ହରାଇ ଶ୍ରମିକ ହୋଇଥିବା ପିଲାଙ୍କ ତଥ୍ୟ ମିଳିନି। କୋଭିଡ୍‌ରେ ୯୮୮ ପିଲା ବାପା ମାଆଙ୍କୁ, ଓ ୪୨୨୭୪ ପିଲା ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଛନ୍ତି। ଏହି ପିଲାମାନଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଇଛି।

ବିଭିନ୍ନ ଶିଶୁ ସୁରକ୍ଷା ସେବା ଯଥା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଶିଶୁ ଯତ୍ନ ଅନୁଷ୍ଠାନ, ୧୦୯୮ ଚାଇଲ୍ଡ ଲାଇନ୍, ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍, ଜିଲ୍ଲା-ବ୍ଲକ-ଗ୍ରାମପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଜରିଆରେ ଏପରି ଶିଶୁଙ୍କୁ ଚିହ୍ନଟ କରାଯାଇ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି।

ଉଚ୍ଚ ଶିକ୍ଷା ବିଭାଗ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ସମ୍ବନ୍ଧୀୟ ପଦକ୍ଷେପ ନିଏ। ଯେଉଁ ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ପୂର୍ଣ୍ଣ କରି ସ୍ନାତକ କିମ୍ଵା ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବାକୁ ଆବେଦନ କରନ୍ତି, ଯଦି ତାଙ୍କ ମଧ୍ୟରୁ କେହି ବାପା ଓ ମାଆଙ୍କ ମୃତ୍ୟୁ ଯୋଗୁଁ ଅନାଥ ହୋଇଥାନ୍ତି ତେବେ ସେହି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ୍ ପ୍ୟାସେଜ୍ ଯୋଜନା କାର୍ଯ୍ୟକାରୀ ହୋଇଛି। କରୋନା ପ୍ରଭାବିତ ଅନାଥ କିମ୍ଵା ଜଣେ ରୋଜଗାରକ୍ଷମ ମୁରବୀଙ୍କର ମୃତ୍ୟୁ ହୋଇଥିଲେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନୂତନ ରୂପରେ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

nis-ad
Leave A Reply

Your email address will not be published.