ଭିଜିଲାନ୍ସ ଜାଲରେ ଇଡକୋର ଜୁନିୟର ମ୍ୟାନେଜର, ୩.୨୨ କୋଟି ର ୪ ମହଲା କୋଠା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ। ଆଜି ତାଙ୍କ ଘର ସମେତ ମୋଟ ୬ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ବେଳେ ଠାବ ହୋଇଛି ଅଚଳାଚଳ ସଂପତ୍ତି।

ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାରରେ ତାଙ୍କର ଏକ ଚାରି ମହଲା କୋଠା ରହିଛି। ଏହାର ଦାମ ୩.୨୨ କୋଟି ବୋଲି ଆକଳନ କରିଛି ଭିଜିଲାନ୍ସ। । ପାଖାପାଖି ୭୫୦୦ ବର୍ଗଫୁଟ ଜମିରେ ଛିଡ଼ା ହୋଇଥିବା ଏହି ୪ ମହଲା କୋଠାଟି କୌଣସି ରାଜକୀୟ ବଙ୍ଗଳାଠାରୁ କମ୍ ନୁହେଁ। ଏହି କୋଠାର ସମସ୍ତ ଦ୍ୱାରରେ ସେନ୍‌ସର ଲାଗିଛି। ଡ୍ରଇଂ ରୁମ୍‌ଠାରୁ ଆରମ୍ଭ କରି ବେଡ୍‌ ରୁମ୍- ସବୁଠି ରହିଛି ସେନ୍‌ସର ଲକିଂ ବ୍ୟବସ୍ଥା। ଘରର ଡିଜାଇନ ଆଖି ଖୋସିଲା ଭଳି ହୋଇଛି। ଘର ସାରା ଇମ୍ପୋର୍ଟେଡ୍ ଉପକରଣ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ବାବୁଙ୍କ ଏହି ଆଲିଶାନ ବଙ୍ଗଳାରେ ୩୨ଟି ଫ୍ୟାନ ଓ ୧୨ଟି ଏସି ଲାଗିଛି ।

ପୁରୀ ଜିଲ୍ଲାର ବାଲୁଖଣ୍ଡ ମୌଜାରେ ଶ୍ରୀ ଉଦୟସିଂହଙ୍କର ଏକ ଫ୍ଲାଟ ଅଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ତାଙ୍କର ମୋଟ ୩ଟି ପ୍ଲଟ ଅଛି। ସେଥିରୁ ଦୁଇଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। ତାଙ୍କର ୩ଟି ଜମି ଅଛି। ସେଥିରୁ ଦୁଇଟି ଭୁବନେଶ୍ୱରର ରାଜରାଣୀ ମୌଜାରେ ରହିଛି। ଆଉ ଗୋଟିଏ ଖୋର୍ଦ୍ଧାର ପ୍ରତାପ ଶାସନରେ ଅଛି। ଏଗୁଡ଼ିକ ଦର ବେଶ୍ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କର ଏହି ସବୁ ପ୍ଳଟ ଓ ଜମିର ପ୍ରକୃତ ମୂଲ୍ୟ ଜାଣିବା ପାଇଁ ମାପଚୂପ କରିଛି ଭିଜିଲାନ୍ସ।

ବିଜୟ କୁମାର ଉଦୟସିଂହ ବ୍ୟାଙ୍କରେ ୩୩ ଲକ୍ଷ ଟଙ୍କା ଜମା ରଖିଛନ୍ତି। ତାଙ୍କ ଘରୁ ନଗଦ ୪ ଲକ୍ଷ ୫୦ ହଜାର ଜବତ କରାଯାଇଛି। ସେହିପରି ତାଙ୍କର ଗୋଟିଏ ଦୁଇ ଚକିଆ ଗାଡ଼ି ରହିଛି। ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି।  ତାଙ୍କର ଅନ୍ୟାନ୍ୟ ଜମା ଓ ନିବେଶ ସଂପର୍କରେ ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.