ଆଗାମୀ ପିଢି ପାଇଁ ଶିକ୍ଷଣୀୟ କେନ୍ଦ୍ର ସାଜିବ “ସଞ୍ଜିବନୀ ବାଟିକା”


ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ବନ ସୁରକ୍ଷା ସମିତି ପୁରସ୍କାର ନିମନ୍ତେ ସମ୍ବର୍ଦ୍ଧନା ସଭା ଓ ଔଷଧୀୟ ଉଦ୍ୟାନର ଶୁଭ ଉଦଘାଟନ….
• ନିଜସ୍ଵ ଉଦ୍ୟମରେ ଶ୍ରମଦାନ ମାଧ୍ୟମରେ ଔଷଧୀୟ ବଗିଚା ସୃଷ୍ଟି କଲା ଝୁରିମାଲ ବନ ସୁରକ୍ଷା ସମିତି
• ୫୬ ପ୍ରକାର ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ଚାରା ରୋପଣ କଲେ ଝୁରିମାଲ ଗ୍ରାମବାସୀ

ସୁନ୍ଦରଗଡ଼ (୧୬/୦୭) : ଜଙ୍ଗଲ ଓ ପରିବେଶ ସୁରକ୍ଷା, ନୂତନ ଜୀବିକା ସୃଷ୍ଟି, ତଥା ବିଭିନ୍ନ ପ୍ରକାର ଅଭିନବ କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ରାଜ୍ୟର ସର୍ବଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବରେ ପୁରସ୍କୃତ ହୋଇଛି ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଲପୁର ବନାଞ୍ଚଳର ଝୁରିମାଲ ବନ ସୁରକ୍ଷା ସମିତି। ଗୋଷ୍ଠୀ ଏକତା, ସଚେତନତା, ଜଙ୍ଗଲ ସୁରକ୍ଷା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ପରୀକ୍ଷା ଶିବିର, ନିଜସ୍ଵ ଫଳ ବଗିଚା ସୃଷ୍ଟି, ସାମୁହିକ ଶ୍ରମଦାନ ମାଧ୍ୟମରେ ବୃକ୍ଷ ରୋପଣ ଓ ଜଙ୍ଗଲର ଚତୁଃପାର୍ଶ୍ବରେ ଟ୍ରେଞ୍ଚ ଖନନ, ବନ ସୁରକ୍ଷା ସମିତିର ନିଜସ୍ଵ ୱେବସାଇଟ ପ୍ରସ୍ତୁତି ଇତ୍ୟାଦି ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରି ଲୋକଙ୍କ ଜୀବିକାର ଉନ୍ନତି କରିବା ସଙ୍ଗେ ସଙ୍ଗେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ପାରିଛି ଝୁରିମାଲ ବନ ସୁରକ୍ଷା ସମିତି। ରାଜ୍ୟ ସ୍ତରୀୟ ସର୍ବଶ୍ରେଷ୍ଠ ବନ ସୁରକ୍ଷା ସମିତି ପୁରସ୍କାର ପ୍ରାପ୍ତି ଉପଲକ୍ଷେ ଆଜି ସୁନ୍ଦରଗଡ ବନଖଣ୍ଡ ଓ ଝୁରିମାଲ ବନ ସୁରକ୍ଷା ସମିତିର ମିଳିତ ଉଦ୍ୟମରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ ଝୁରିମାଲ ବନ ସୁରକ୍ଷା ସମିତି ସମସ୍ତଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର କେନ୍ଦ୍ର ସାଜିଛି ବୋଲି ମତ ପ୍ରଦାନ କରିଥିଲେ। ସର୍ବପ୍ରଥମେ ଗ୍ରାମର ବେଦବ୍ୟାସ ଧୃଆ ସମସ୍ତଙ୍କୁ ସ୍ଵାଗତ କରି ସଭା ପରିଚାଳନା କରିଥିଲେ। ସହକାରୀ ବନ ସଂରକ୍ଷକ ମୋହନ ହେମ୍ରମ ସ୍ଵାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଏନ.ଟି.ପି.ସି. ଡୁଲଙ୍ଗାର ଉପ ମହାପ୍ରବନ୍ଧକ ଶ୍ରୀଧର ଜେନା ଝୁରିମାଲ ବନ ସୁରକ୍ଷା ସମିତିକୁ ଏକ ନୂତନ କମ୍ପ୍ୟୁଟର ଓ ପ୍ରିଣ୍ଟର ସେଟ ପ୍ରଦାନ କରିଥିଲେ ଓ ଜଙ୍ଗଲ ଓ ପରିବେଶ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ନିମନ୍ତେ କରୁଥିବା ବିଭିନ୍ନ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଝୁରିମାଲ ବନ ସୁରକ୍ଷା ସମିତିର ବରିଷ୍ଠ ସଭ୍ଯ ତଥା ଉଜ୍ଜଲପୁର କ୍ଷେତ୍ର ପରିଚାଳନା ଏକକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ ଝୁରିମାଲ ବନ ସୁରକ୍ଷା ସମିତିର ବିଭିନ୍ନ କାର୍ଯ୍ୟକ୍ରମ, ସଫଳତା, ଅଭିନବ ପଦକ୍ଷେପ ଉପରେ ଉପସ୍ଥାପନା କରିଥିଲେ। ଅନ୍ଯାନ୍ଯ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିରେନ୍ଦ୍ର କୁମାର ବେହେରା କୃଷି ଜଙ୍ଗଲ ଦ୍ଵାରା ଜୀବିକାର ଉନ୍ନତି ହୋଇପାରିବ ବୋଲି ଗୁରୁତ୍ଵାରୋପ କରିଥିଲେ। ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ ଝୁରିମାଲ ବନ ସୁରକ୍ଷା ସମିତିକୁ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ସୁଖ୍ୟାତି ହାସଲ କରିବା ନିମନ୍ତେ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ମନୋଜ କୁମାର ଜେନା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ ଆୟଭିତ୍ତିକ କାର୍ଯ୍ୟ ଦ୍ଵାରା ଜଙ୍ଗଲ ଉପରେ ନିର୍ଭରଶୀଳତା କମିବ ବୋଲି ମତାପ୍ରଦାନ କରିଥିଲେ। ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ଡ. ମନିଶ କୁମାର ଶ୍ରୀବାସ୍ତବ, ଆଶୁତୋଷ ନାଏକ, ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ମଣିହିରା, ସେବକର ଅଧ୍ୟକ୍ଷ ଅମିୟ କାନ୍ତ ନାଏକ, ଝୁରିମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୋଦ ମାଝୀ, ସମିତି ସଭ୍ୟ ଦୀପକ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ।

ଏହି ଅବସରରେ ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠି ମାଧ୍ୟମରେ ସ୍ଵପ୍ନା ଏସ.ଏଚ.ଜି. ଦ୍ଵାରା କରାଯାଇଥିବା ଜିଆଖତର ବଜାର ବ୍ୟବସ୍ଥା ନିମନ୍ତେ ଏକ ଚୁକ୍ତିନାମା ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ସ୍ଵାକ୍ଷର କରାଯାଇଥିଲା। ସହଯୋଗୀ ଅନୁଷ୍ଠାନ ସେବକ ଓ ବନସୁରକ୍ଷା ସମିତିର ମିଳିତ ଉଦ୍ୟମରେ ଗ୍ରାମର ପ୍ରତ୍ଯେକ ପରିବାରର ସ୍ୱାସ୍ଥ୍ୟ ବୀମା କରାଯାଇଛି। ଏହି ଅବସରରେ ୫ ଜଣଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ପଲିଶି ଓ ୬ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ ସୁନ୍ଦରଗଡ ବନଖଣ୍ଡ ତରଫରୁ ଝୁରିମାଲ ବନ ସୁରକ୍ଷା ସମିତିକୁ ମାନପତ୍ର ଓ ଏକ ଔଷଧୀୟ ଚାରା ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଦିଗାମ୍ବର ଉପାଧ୍ୟାୟଙ୍କୁ ସର୍ବଶ୍ରେଷ୍ଠ ଟିମ ଲିଡର ତଥା ସୌଭାଗ୍ୟ ରଞ୍ଜନ ସ୍ଵାଇଁ, ରାଜେଶ କୁମାର ମହାପାତ୍ର ଓ ସୁଚିସ୍ମିତା ମହାନ୍ତିଙ୍କୁ ଶ୍ରେଷ୍ଠ ଏଫ.ଏମ.ୟୁ. କୋରଡିନେଟର ଭାବରେ ସମ୍ମାନିତ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ବିଷୟଗତ ବିଶେଷଜ୍ଞ ଗୋପାଳ ଚନ୍ଦ୍ର ଶୁକ୍ଳ ପରିଚାଳନା କରିଥିବା ବେଳେ ସଭା ଶେଷରେ ସୁକାନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଝୁରିମାଲ ବନ ସୁରକ୍ଷା ସମିତି ଆଉ ଏକ ଅଭିନବ ପଦକ୍ଷେପ ସ୍ୱରୂପ ବନ ସୁରକ୍ଷା ସମିତିର ଏକ ନିଜସ୍ଵ ଔଷଧୀୟ ଉଦ୍ୟାନ ୩ ଏକର ପରିମିତ ଜମିରେ ଶ୍ରମଦାନ ମାଧ୍ୟମରେ ଆରମ୍ଭ କରିଛି। ସୁନ୍ଦରଗଡ ଜିଲ୍ଲାର ଗର୍ବ ଓ ଗୌରବ ଏହି ଝୁରିମାଲ ବନ ସୁରକ୍ଷା ସମିତି ଆଜି ନିଜସ୍ଵ ଉଦ୍ୟମରେ ଏକ ଔଷଧୀୟ ବଗିଚା “ ସଞ୍ଜିବନୀ ବାଟିକା” ର ଶୁଭାରମ୍ଭ କରି ଏକ ଶିକ୍ଷଣୀୟ କେନ୍ଦ୍ର ପାଲଟିଛି। ଏହି ଔଷଧୀୟ ଉଦ୍ୟାନରେ ୫୬ ପ୍ରକାରର ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ଆଦି ରୋପଣ କରାଯାଇଛି। ସମଗ୍ର କାର୍ଯ୍ୟକ୍ରମକୁ ଝୁରିମାଲ ବନ ସୁରକ୍ଷା ସମିତିର ସୁବ୍ରତ ପଟେଲ, ହେମାନନ୍ଦ ସେଠ, ଉଦିତ ପଟେଲ, ଦିଲ୍ଲୀପ ପଟେଲ, ମନୋରଞ୍ଜନ ମଲ୍ଲିକ, ହରିପ୍ରିୟା ନାଏକ, ନିତ୍ଯାନନ୍ଦ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.