ପୁରୀ : ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ ହୋଇଥାଏ । ଆଶାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାରରେ ରଖାଯାଇଥିବା ତିନି ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ ।
ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।ରଥ ଉପରେ ସୁନାବେଶ ବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥାଏ ।
ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତ ରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି । ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି ।
ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଅଳଙ୍କାର ଲାଗିହୋଇଥାଏ ।
ସେହିଭଳି ବଳଭଦ୍ରଙ୍କ ପାଖରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଲାଗୁହୋଇଥାଏ । ଦେବୀ ସୁଭଦ୍ରାଙ୍କ ପାଖରେ କିରିଟ, ଓଢ଼ିଆଣ.କାନ, ଚନ୍ଦ୍ରସୂର୍ୟ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ତଗଡ଼ି-୨ଟି ଲାଗୁହୋଇଥାଏ ।
ଆଶାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାରରେ ରଖାଯାଇଥିବା ତିନି ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ ।