ମରଣଯନ୍ତା ପାଲଟିଛି ମୁଲୁକଚେରୀ-ବିରାଗାଡା ରାସ୍ତା : ମରାମତି ପାଇଁ ଦାବି

ଦାରିଙ୍ଗବାଡ଼ି,(୨୬/୬) : ରାସ୍ତା ସାରା ଖାଲ ଖମା । କେଉଁଠି ମେଟାଲ ବାହାରିଛି ତ ଆଉ କେଉଁଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ହେଲେ ମରାମତି ହେଉ ନଥିବା ଯୋଗୁଁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ମୁଲୁକଚେରୀ-ବିରାଗାଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଏହି ରାସ୍ତା ଉପରେ ଦନେକବାଡ଼ି ଓ ସିର୍କାବର୍ଗ ଗ୍ରାମ ପଞ୍ଚାୟତର ୮ ହଜାର ରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଏପରିକି ଉକ୍ତ ରାସ୍ତା ଦେଇ ଦାରିଙ୍ଗବାଡ଼ି ଓ କୋଟଗଡ଼ ବ୍ଲକର ଶ୍ରୀରାମପୁର,ଯୁବାଗୁଡା ଭଳି ଅନେକ ଅଂଚଳକୁ ଲୋକ ଯାତାୟାତ କରିଥାନ୍ତି । ହେଲେ ରାସ୍ତାର ଅବସ୍ଥା ନକହିବା ଭଲ । ରାସ୍ତା ସାରା ଖାଲଖମା । ମେଟାଲ ବାହାରି ରହିଛି । ବର୍ଷା ହେବା ଫଳରେ ଖାଲ ଗୁଡିକରେ ପାଣି ଭର୍ତ୍ତି ହୋଇଯାଉଛି । ଜାହାରି ଫଳରେ ବାଇକରେ ହେଉ ଅବା ଅନ୍ୟ ଗାଡିରେ ଗଲା ବେଳେ ପାଣି ଥିବା ଯୋଗୁଁ ଖାଲଖମା ଜଣାପଡୁନାହିଁ । ଲୋକେ ଦୁର୍ଘଟଣାର ସ୍ୱୀକାର ହେଉଛନ୍ତି । ରାସ୍ତା ଖାଲଖମା ଯୋଗୁଁ ଯିବା ଆସିବା କଷ୍ଟ ସାଧ୍ୟ ହୋଇପଡୁଛି । ଏପରିକି ରାସ୍ତା ଖରାପ ଯୋଗୁଁ କାହାରି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ସଠିକ ସମୟରେ ମେଡିକାଲରେ ପହଂଚି ପାରୁନାହାନ୍ତି । ଗୋଟିଏ ପଟେ ସରକାର ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ଯୋଜନା ସହ ସଚେତନ କରୁଥିବା ବେଳେ ଅନ୍ୟପଟେ ରାସ୍ତା ଖରାପ ଯୋଗୁଁ ଦୁର୍ଘଟଣା ଦିନ ଦିନକୁ ବୃଦ୍ଧି ପାଉଛି । କିନ୍ତୁ ଏଭଳି ସମସ୍ୟାର ସମାଧାନ ଦିଗରେ କେହି ପଦକ୍ଷେପ ନେଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଖାଲି ହେଲମେଟ, ଗାଡିର ଗତି ଯାଞ୍ଚ ଓ ମଦୁଆ ଚାଳକଙ୍କ ଉପରେ ନଜର ରଖିଲେ ଯେ ଦୁର୍ଘଟଣା କମିବ ତାହାନୁହେଁ ବରଂ ରାସ୍ତାର ସଠିକ ସମୟରେ ସଠିକ ଭାବେ ମରାମତି କରିଲେ ହିଁ ଦୁର୍ଘଟଣା ରୋକିହେବ ବୋଲି ଅଂଚଳବାସୀ ମତପ୍ରକାଶ କରିଛନ୍ତି । ଏଣୁ ଏହାର ଶୀଘ୍ର ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଦାରିଙ୍ଗବାଡ଼ି ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ମନ୍ମଥ ସୁବୁଦ୍ଧିଙ୍କୁ ପଚାରିବାରୁ ସେ କହିଲେ ଏହି ରାସ୍ତାର କାର୍ଯ୍ୟ ପାଇଁ ପ୍ରକଳ୍ପ ଦିଆ ହୋଇଛି ,ଅନୁମୋଦନ ହୋଇ ଆସିଲେ ଖୁବ ଶୀଘ୍ର କାମ ହେବ ବୋଲି କହିଥିଲେ ।

nis-ad
Leave A Reply

Your email address will not be published.