୨୦୨୫ ସୁଦ୍ଧା ଓଡ଼ିଶା ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ହେବ – ଶ୍ରମ ମନ୍ତ୍ରୀ


ଛତ୍ରପୁର : ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି । ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଥିବା ସମୀକ୍ଷାରେ ମନ୍ତ୍ରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ମୁଖ୍ୟ ମନ୍ତ୍ରୀ ଶ୍ରମିକମାନଙ୍କର ଉନ୍ନତି ଦିଗରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତି। ଶ୍ରମ ବିଭାଗ ଯେପରି ଲୋକଙ୍କ ନିକଟତର ହେବ ସେଥି ସକାଶେ ଆଶୁ ପଦକ୍ଷେପ ଗ୍ରହଣ କରାଯାଉଅଛି। ରାଜ୍ୟରେ ୩୫୦୦ କୋଟି ଟଙ୍କା ନିର୍ମାଣ ଶ୍ରମିକ ସହାୟତା ରାଶି ପ୍ରଦାନ କରାଯାଇଅଛି, ଆଗାମୀ ଦିନରେ ୮୦୦ କୋଟି ଟଙ୍କା ବଣ୍ଟନ କରାଯିବ। ରାଜ୍ୟର ପ୍ରତି ବ୍ଲକ୍ ଜଣେ ଲେଖାଏ ସହକାରୀ ଶ୍ରମ ଅଧିକାରୀ ହେବେ, ଏଣୁ ଏହି ପ୍ରକ୍ରିୟା ଚାଲିଛି। ପ୍ରତି ବ୍ଲକରେ ସହକାରୀ ଶ୍ରମ ଅଧିକାରୀ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ପରେ ଶ୍ରମିକ ମାନଙ୍କର ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତି ହେବ। ଗଞ୍ଜାମ ଜିଲ୍ଲାର ଅନେକ କୁଶଳୀ ଶ୍ରମିକ ସୁରଟରେ କାର୍ଯ୍ୟ କରିବାକୁ ଯାଆନ୍ତି, ତେଣୁ ସୁରଟ ଠାରେ ଶ୍ରମ ବିଭାଗର କାର୍ଯ୍ୟାଳୟ ସ୍ଥାପନ ନିମିତ୍ତ ପତ୍ରାଳପ ଚାଲିଛି, ସେଠାରୁ ଅନୁମତି ପତ୍ର ହସ୍ତଗତ ହେବା ପରେ ଏହି କାର୍ଯ୍ୟକୁ ତ୍ଵରାନିତ କରାଯିବ। ଓଡ଼ିଶା ରାଜ୍ୟରେ ୨୦୨୫ ମସିହାରେ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯିବ। ଏଥି ସକାଶେ ସଚେତନତା ଓ ଚଢ଼ାଉ କାର୍ଯ୍ୟକୁ ବ୍ୟାପକ କରାଯାଉଅଛି। ଶିଶୁ ଶ୍ରମିକ ମାନଙ୍କୁ ଶ୍ରମ ଖଟିବାକୁ ଦିଆଯିବ ନାହିଁ, ସେମାନେ ଶିକ୍ଷା ବ୍ୟବସ୍ଥାରେ ସାମିଲ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ। ଶ୍ରମିକ ଗଣ ଶ୍ରମିକ ପରିଚୟ ପତ୍ର ପାଇବା ଦିଗରେ ଦେଖା ଯାଉଥିବା ବ୍ୟବସ୍ଥାର ସରଳୀକରଣ କରାଯିବ। ପରିଚୟ ପତ୍ର ଆବଣ୍ଟନ ଓ ଶ୍ରମିକ ମାନଙ୍କର ସହାୟତା ପ୍ରଦାନ କ୍ଷେତ୍ରରେ ମେଳା ମାନ ଆୟୋଜନ କରି ପ୍ରଦାନ କରିବାରୁ ମନ୍ତ୍ରୀ ଶ୍ରୀ ସାହୁ ଶ୍ରମ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ଥିଲେ। ୫ଟି ଅନ୍ତର୍ଗତ ଶ୍ରମିକ ଗଣକିଭଳି ସୁବିଧା ହାସଲ କରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ଶ୍ରୀ ସାହୁ ବ୍ୟକ୍ତ କରିଥିଲେ।
  ଶ୍ରମ ଆଇନ ଅନୁସାରେ ଶ୍ରମିକ ଗଣ ଠିକ୍ ମଜୁରୀ ପାଇବା ହକଦାର ଏବଂ ସେମାନେ କେତେ ଘଣ୍ଟାର ଶ୍ରମ ଦାନ କରିବେ ତାହା ମଧ୍ୟ ଧାର୍ଯ୍ୟ ହୋଇଛି। ୨୦୧୦ ମସିହା ଠାରୁ ନିର୍ମାଣ ଶ୍ରମିକ ବୋର୍ଡ ଗଠନ କରାଯାଇଛି । ଶ୍ରମିକ ଗଣ ସମସ୍ତ୍ ସରକାରୀ ସହାୟତା ପାଇବା ସକାଶେ ସରକାରଙ୍କ ତରଫରୁ ପଞ୍ଜିକରଣ କରାଯାଇଛି। ସିଧା ସଳଖ ସେମାନଙ୍କ ଜମା ଖାତାକୁ ସହାୟତା ଟଙ୍କା ଦିଆଯାଉଥିବା ତଥ୍ୟ ଯୁଗ୍ମ ଶ୍ରମ କମିଶନର ଦୀପ୍ତି ରଞ୍ଜନ ମହାନ୍ତି ପ୍ରକାଶ କରିଥିଲେ। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶ୍ରମିକ ମାନଙ୍କ ଆସୁବିଧା ଓ ପଞ୍ଜିକରଣ ଦିଗରେ ଶ୍ରମିକ ମାନଙ୍କର ଅସୁବିଧା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେଉଁ ମାନଙ୍କୁ ସଂଗଠିତ ଶ୍ରମିକ କିମ୍ବା ନିର୍ମାଣ ଶ୍ରମିକ ଭାବେ ଗ୍ରହଣ କରାଯିବ। କେଉଁ ମାନଙ୍କୁ ଅଣ ସଂଗଠିତ ଶ୍ରମିକ ଭାବେ ଗ୍ରହଣ ହେବେ, ସେହି ସମସ୍ତ ତଥ୍ୟ ସର୍ବସାଧାରଣର ଅବଗତି ନିମନ୍ତେ ସଚେତନ ଆବଶ୍ୟକ ବୋଲି ଉପସ୍ଥିତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମତ ପୋଷଣ କରିଥିଲେ। ଚଳିତ ମେ ମାସ ପାହିଲାରେ ପାଳିତ ହୋଇଥିବା ବିଶ୍ବ ଶ୍ରମିକ ଦିବସ ଠାରୁ ନୂଆ ପୋର୍ଟାଲ ପ୍ରସ୍ତୁତ କରାଗଲା । ସମ୍ପ୍ରତି ଶ୍ରମିକଗଣ ପଞ୍ଜିକରଣ କରିବା ସକାଶେ ଏହି ପୋର୍ଟାଲର ବ୍ୟବହାର କରିପାରିବେ । ଅସୁବିଧା ସ୍ଥଳେ ହେଲ୍ପ ଡେସ୍କ କରି ପଞ୍ଜିକରଣ ବ୍ୟବସ୍ଥା କୁ ସରଳୀକରଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ବ୍ରହ୍ମପୁର ଠାରେ ଲେବର କୋର୍ଟ ସ୍ଥାପନ କରିବାକୁ ସମସ୍ତ ଜନ ପ୍ରତିନିଧି ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ, ଯାହାରି ଫଳରେ ସୁଦୂର ଜୟପୁରକୁ ନଯାଇ ଗଞ୍ଜାମ ଜିଲ୍ଲାର ନିକଟତର ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ବିଚାର ସେହିଠାରେ ହୋଇପାରିବ।
ସମୀକ୍ଷା ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟରଗଣ, ଯୁଗ୍ମ ଶ୍ରମ କମିଶନର ଦୀପ୍ତିରଞ୍ଜନ ମହାନ୍ତି , ଜିଲ୍ଲା ଶ୍ରମ ଅଧିକାରୀ, ଛତ୍ରପୁର ନରେନ୍ଦ୍ର କୁମାର ଗାଇପାଇ, ଜିଲ୍ଲା ଶ୍ରମ ଅଧିକାରୀ ବ୍ରହ୍ମପୁର ବାବୁଲାଲ୍ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା , ଶ୍ରମ ବିଭାଗୀୟ ସହକାରୀ ଅଧିକାରୀ ଏବଂ ଶ୍ରମ ନିରୀକ୍ଷକଗଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.