ମୁଣ୍ଡଳୀରେ ଏନ୍‌ଡିଆର୍‌ଏଫ୍‌ ଯବାନ୍‌ଙ୍କୁ ବିପୁଳ ସମ୍ବର୍ଦ୍ଧନା

କଟକ/ନରାଜ: ଦୀର୍ଘ ୧୦୬ ଘଣ୍ଟାର ପରିଶ୍ରମ କରି ୮୦ଫୁଟ୍‌ ମାଟି ତଳୁ ରାହୁଲଙ୍କୁ ଉଦ୍ଧାର କରିଥିବା କଟକ ମୁଣ୍ଡଳୀ ଏନ୍‌ଡିଆର୍‌ଏଫ୍‌ ଯବାନ ମାନେ ଓଡ଼ିଶା ଫେରିବା ପରେ ସେମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଫୁଲ ପକାଇ ଯବାନ୍‌ମାନଙ୍କୁ ସ୍ୱାଗତ କରିଛନ୍ତି ସାଥୀ ସହଯୋଗୀ । ଏନେଇ ଏନ୍‌ଡିଆର୍‌ଏଫ୍‌ ପରିସର ଉତ୍ସବ ମୁଖରିତ ହୋଇପଡ଼ିଛି ।

ଟିମ୍‌ ଲିଡର୍‌ ତଥା ଡେପୁଟି କମାଣ୍ଡାଣ୍ଟ୍‌ ବର୍ଦ୍ଧମାନ ମିଶ୍ରଙ୍କ ସମେତ ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର ଓ ଅନ୍ୟ ଯବାନ୍‌ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ତାଳି ବଜାଇ ଯବାନ୍‌ମାନଙ୍କ ଉତ୍ସାହ ବୃଦ୍ଧି କରାଯାଇଥିଲା ।

ସୂଚନାଯୋଗ୍ୟ, ଛତିଶଗଡ଼ ଜାଞ୍ଜଗିର-ଚାମ୍ପା ଜିଲ୍ଲା ପିହରିଦ ଗ୍ରାମରେ ବୋର୍‌ୱେଲ୍‌ରେ ଖସିପଡ଼ିଥିବା ୧୧ ବର୍ଷୀୟ ରାହୁଲକୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଥିଲେ । ମୁଣ୍ଡଳୀରେ ଥିବା ଏନ୍‌ଡିଆର୍‌ଏଫ୍‌ ତୃତୀୟ ବାଟାଲିୟନ୍‌ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ କାର୍ଯ୍ୟାଳୟ ହୋଇଥିବାରୁ ମୁଣ୍ଡଳି ଓ ଭିଲାଇରୁ ଏକ ୩୦ ଜଣିଆ ଟିମ୍‌ ପ୍ରସ୍ତୁତ ହୋଇଥିଲେ । କଟକରୁ କମାଣ୍ଡାଣ୍ଟ୍‌ ବର୍ଦ୍ଧମାନ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ୫୨୦ କିଲୋମିଟର ଦୂର ଛତିଶଗଡ଼ ପିହରିଦ ଗ୍ରାମକୁ ଯାଇଥିଲା । ଉଭୟ ମୁଣ୍ଡଳୀ ଓ ଭିଲାଇର ମିଳିତ ଟିମ୍‌ରେ ଜଣେ କମାଣ୍ଡାଣ୍ଟ୍‌ଙ୍କ ସହିତ ୩ ଜଣ ଇନ୍ସପେକ୍ଟର, ୩ ଜଣ ସବ୍‌ଇନ୍ସପେକ୍ଟର ଓ ଅନ୍ୟ ର‌୍ୟାଙ୍କ୍‌ର ଯବାନ୍‌ମାନେ ଥିଲେ । ଭିଲାଇରୁ ଯାଇଥିବା କଟକ ଏନ୍‌ଡିଆର୍‌ଏଫ୍‌ ଶାଖାର ଓଡ଼ିଆ ଯବାନ୍‌ ଇନ୍ସପେକ୍ଟର ମହାବୀର ମହାନ୍ତି ମଧ୍ୟ ‘ଅପରେସନ୍‌ ଜିନ୍ଦେଗୀ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ବେଶ୍‌ କଷ୍ଟ କରି ପଥର ଭାଙ୍ଗି ରାହୁଲକୁ ଉଦ୍ଧାର କରିଥିବା ଏହି ଯବାନ୍‌ମାନଙ୍କୁ ମୁଣ୍ଡଳି ଏନ୍‌ଡିଆର୍‌ଏଫ୍‌ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

nis-ad
Leave A Reply

Your email address will not be published.