ସିମନବାଡି ପୋଖରୀର ପୁନଃରୁଦ୍ଧାର କେବେ ? ନିତ୍ୟବ୍ୟବହାର୍ଯ୍ୟ ପାଣି ପାଇଁ ଡହଳ ବିକଳ ଜନସାଧାରଣ

ଦାରିଙ୍ଗବାଡି,(୧୨/୫) : ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ସହ ତାସାଙ୍ଗକୁ ବୃଦ୍ଧି ପାଉଛି ପାନୀୟ ଜଳ ସମସ୍ୟା । ପାଣି ଟିକିଏ ପାଇଁ ଲୋକେ ହାହାକାର ହୋଇଗଲେଣି । ପାଣି ପିଇବା ପାଇଁ ଲୋକେ ଯେତିକି ଚିନ୍ତିତ ଦୈନନ୍ଦିନ ଜିବନରେ ନିତ୍ୟବ୍ୟବହାର୍ଯ୍ୟ ନିମନ୍ତେ ପାଇଁ ସେତିକି ଚିନ୍ତିତ। ହେଲେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଥିବା ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ । ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ପୋଖରୀର ଦେଖିବାକୁ ମିଳିଛି କିଛି ଏଭଳି ଅବସ୍ଥା । ଏହି ପୋଖରୀ ଆଜକୁ ୫ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥା ପଡିରହିଛି । ସିମନବାଡି ପାଇଁ ଏହି ଗୋଟିଏ ପୋଖରୀ ରହିଥିବା ବେଳେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଏହି ପୋଖରୀ ଉପରେ ସିମନବାଡି ପଞ୍ଚାୟତର ଶହ ଶହ ଲୋକ ନିର୍ଭର କରୁଛନ୍ତି । ହେଲେ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଯୋଗୁଁ ପୋଖରୀରେ ପଙ୍କ ସାଙ୍ଗକୁ ଘାସ ଭର୍ତ୍ତି ହୋଇରହିଛି । ପାଣି ଆଦ୍ୱ ନାହିଁ । ଏହା ଦ୍ୱାରା ବର୍ତମାନ ଲୋକ ନାହିଁ ନଥିବାର ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପକ୍ଷରେ ଗୃହପାଳିତ ପଶୁ ଗାଇ, ମଇଁଷି ଆଦି ନିଜର ତୃଷା ମେଣ୍ଟେଇବା ପାଇଁ ପୋଖରୀରୁ ପାଣି ମଧ୍ୟ ଟିକିଏ ପାଉନାହାନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ସରପଞ୍ଚ ହୁଅନ୍ତୁ ଅବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ସବୁ ଜାଣି ଅଜଣା ଭଳି ରହୁଛନ୍ତି । ଗ୍ରାମବାସୀ ଏନେଇ ବହୁବାର ଗ୍ରାମସଭା ସମେତ ପଞ୍ଚାୟତ ବୈଠକରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୋଖରୀର ପୁନଃରୁଦ୍ଧାର ହୋଇପାରିଲା ନାହିଁ । ବରଂ ଧୀରେ ଧୀରେ ପୋଖରୀ ପୋତି ହୋଇ ଗଲାଣି । ଏଥିପ୍ରତି ପଞ୍ଚାୟତର ଆଦ୍ୱ ଦୃଷ୍ଟି ପଡୁନାହିଁ । ଏଣୁ ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟିଦେଇ ଯଥା ଶୀଘ୍ର ଉକ୍ତ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟକରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.