କାକିନାଡ଼ା ପାଖରେ ଉପକୂଳ ଛୁଇଁବ ବାତ୍ୟା ଅସାନି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଏବେ ଉପକୂଳ ଆଡ଼େ ମୁହାଁଇଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ନିକଟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଏହି ବାତ୍ୟା କାକିନାଡ଼ା ନିକଟରେ ଉପକୂଳ ଛୁଇଁବା ପରେ ପୁଣିଥରେ ଗତିପଥ ବଦଳାଇ ଉତ୍ତର ଉତ୍ତପଶ୍ଚିମ ଦିଗରେ ସମୁଦ୍ରକୁ ଯିବ । ତେବେ ସେତେବେଳକୁ ବାତ୍ୟା ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଥିବ । ଏହି ବାତ୍ୟା ମେ’ ୧୨ ରାତି କିମ୍ବା ୧୩ତାରିଖ ସକାଳେ ଓଡ଼ିଶା ଉପକୂଳର ନିକଟରେ ଅତିକ୍ରମ କରିବ କିନ୍ତୁ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ସେହିପରି ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏହି ବାତ୍ୟା କାକିନାଡ଼ା ନିକଟରେ ଉପକୂଳ ଛୁଇଁବା ପରେ ୧୧ ତାରିଖ ମଧ୍ୟାହ୍ନ ସୁଦ୍ଧା ଉତ୍ତର- ଉତ୍ତର-ପୂର୍ବ ଦିଗକୁ ପୁଣିଥରେ ରିକର୍ଭ କରି ସମୁଦ୍ର ଭିତରକୁ ଯିବ । ଏହାର ପ୍ରଭାବରେ ଓଡ଼ିଶାରେ ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କିମି ରହିବ । ବିଶେଷ ପବନ ହୋଇନପାରେ, କିନ୍ତୁ ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଗଞ୍ଜାମ ଜିଲ୍ଲାରେ ୬ଟି ଓଡ୍ରାଫ ଟିମ୍ ମୁତୟନ ହୋଇଥିବାବେଳେ କେରାପୁଟରେ ୬ଟି ଓଡ୍ରାଫ ଟିମ୍‌, ମାଲକାନଗିରିରେ ୨ଟି, ଗଜପତି ଓ ରାୟଗଡ଼ାରେ ୩ଟି ଲେଖାଏଁ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଅଗ୍ନିଶମ ବାହିନୀ ଟିମକୁ ପଠାଯାଇଛି।

nis-ad
Leave A Reply

Your email address will not be published.