ଲେଫ୍ଟନାଣ୍ଟ ଜେନେରାଲ ରାଜୁ ସ୍ଥଳ ସେନାର ଉପମୁଖ୍ୟ

ନୂଆଦିଲ୍ଲୀ: ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ। ମେ’ ୧ ତାରିଖରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ। ଆଜି ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀରୁ ପାସ୍‌ କିଥିବା ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ ୧୯୮୪ ମସିହା ଡିସେମ୍ବର ୫ରେ ଜାଠ ରେଜିମେଣ୍ଟରେ ସାମିଲ ହୋଇଥିଲେ।
ଏଲଏସି ବିବାଦ ସମୟରେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅପରେସନ ପରାକ୍ରମ ବେଳେ ସେ ନିଜ ବାଟାଲିୟନର ନେତୃତ୍ୱ ନେଇ ଜମ୍ମୁ-କଶ୍ମୀରରେ କାମ କରିଛନ୍ତି। ଦୀର୍ଘ ୩୮ ବର୍ଷର ସେନା କ୍ୟାରିୟର୍‌ରେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ ଅନେକ ପଦପଦବୀରେ କାମ କରିବାର ନଜିର ରହିଛି।
ସେ ଜଣେ ଦକ୍ଷ ହେଲିକପ୍ଟର ପାଇଲଟ। ସେ ସୋମାଲିଆରେ ହେଲିକପ୍ଟର ଉଡ଼ାଣ କରିଛନ୍ତି। ସେ ଜାଠ ରେଜିମେଣ୍ଟର ଜଣେ କର୍ଣ୍ଣେଲ ମଧ୍ୟ। ସେ ତାଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ୟାରିୟର କୋର୍ସ ଭାରତରେ କରିଛନ୍ତି। ଏଥିସହ ସେ ତାଙ୍କର ଏନଡିଏସ୍‌ ବ୍ରିଟେନରେ ଥିବା ରୟାଲ କଲେଜ ଅଫ ଡିଫେନ୍ସ ଷ୍ଟଡିଜ୍‌ରେ କରିଥିଲେ।
ସ୍ଥଳ ସେନାର ଉପ ମୁଖ୍ୟ ଭାବେ କାମ କରୁଥିବା ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଏପ୍ରିଲ ୧୮ ତାରିଖରେ ସ୍ଥଳ ସେନା ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଏପ୍ରିଲ ୩୦ରେ ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଭାବେ କାମ କରୁଥିବା ଜେନେରାଲ ମନୋଜ ମୁକୁନ୍ଦ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ହିଁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ସେନାଧ୍ୟକ୍ଷ ହେବେ।
କ୍ରପ୍ସ ଇଞ୍ଜନିୟର୍ସର ପ୍ରଥମ ଅଫିସର ଭାବେ ଜେନେରାଲ ମନୋଜ ପାଣ୍ଡେ ଦେଶର ସ୍ଥଳ ସେନା ହେବାର ରେକର୍ଡ ମଧ୍ୟ କରିବେ। ତେଣୁ ସ୍ଥଳ ସେନାର ଉପ ମୁଖ୍ୟ ପଦବୀ ଖାଲି ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁଙ୍କୁ ସ୍ଥଳର ସେନାର ଉପ ମୁଖ୍ୟ କରାଯାଇଛି।

nis-ad
Leave A Reply

Your email address will not be published.