ଓଡିଶାର ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲାର ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ ପରିଦର୍ଶନ…


୨୦୨୨ ଡିସେମ୍ବର ସୁଦ୍ଧା ଘଟକେଶ୍ବର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ
ଛତ୍ରପୁର : ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆଇ.ଏ.ଏସ୍. , ଅତିରିକ୍ତ ଶାସନ ସଚିବ ଜଳ ସମ୍ପଦ ଅନୁଗର୍ଗ, ଆଇ.ଏ.ଏସ୍., ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ଫାଇଭ୍- ଟି) ଭି. କାର୍ତ୍ତିକେୟ ପାଣ୍ଡିଆନ୍, ଆଇ.ଏ.ଏସ୍. ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି କୁକୁଡା ଖଣ୍ଡି ବ୍ଲକ୍ ଅନ୍ତର୍ଗତ ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି । ଘଟକେଶ୍ବର ବହୁମୁଖୀ ପ୍ରକଳ୍ପର ଅଟକଳ ମୂଲ୍ୟ ୧୭୨.୦୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି । ବ୍ରହ୍ମପୁର ସହର ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରକଳ୍ପର ପ୍ରାୟ ୨୩.୫୫ ବର୍ଗ କିଲୋମିଟର ଜମିରେ ପରିବ୍ୟାପ୍ତ ଅଛି ଏବଂ ଏହି ପ୍ରକଳ୍ପ କୁକୁଡାଖଣ୍ଡି ବ୍ଲକ୍ ର ୪ଗୋଟି ଗ୍ରାମର ପ୍ରାୟ ୬୦୦ ହେକ୍ଟର ଜମି ଜଳସେଚନ କରିବା ଆକଳନ କରାଯାଇଛି। ଏହା ବ୍ୟତୀତ ଏହି ପ୍ରକଳ୍ପଟି ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ୮.୨୫ ଏମ୍.ଏଲ୍.ଡି. ପାନୀୟ ଜଳ ଯୋଗାଇବ । ଏହାର ଅଗ୍ରଗତି କିଭଳି ଚାଲିଛି ସେ ସବୁ ପରିଦର୍ଶନ କରି ଅଧିକାରୀଗଣ କାର୍ଯ୍ୟସ୍ଥଳ ରେ ଉପସ୍ଥିତ ଥିବା ବରିଷ୍ଠ ବୈଷୟିକ ଦଳଙ୍କ ସହିତ ଆଲୋଚନା କରିଥିଲେ ଏବଂ ନିର୍ଦ୍ଧାରିତ ସମୟସୀମା ଡିସେମ୍ବର ୨୦୨୨ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ପ୍ରକଳ୍ପର ସମୀକ୍ଷା କରିବା ପରେ ବରିଷ୍ଠ ଅଧିକାରୀଗଣ କଙ୍କିଆ ଗ୍ରାମ ପଞ୍ଚାୟତର ପୁରୁଣା ପାଟଣା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ, ଯାହାକି ରାଜ୍ୟ ସରକାରଙ୍କର ୫-ଟି ପଦକ୍ଷେପ ଅନୁଯାୟୀ ରୂପାନ୍ତରୀତ ହୋଇଛି । ୨୦୨୧ ମସିହା ଡିସେମ୍ବର ମାସରୁ ରୂପାନ୍ତରୀତ କାର୍ଯ୍ୟ ଆରମ୍ଭ ହୋଇ ଅପ୍ରେଲ ୨୦୨୨ ରେ ଶେଷ ହୋଇଛି । ପରିଦର୍ଶନ ସମୟରେ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ମାର୍ଟ ଶ୍ରେଣୀ ଗୃହ, ସ୍ବଚ୍ଛତା ଶୌଚାଳୟ, ନିରାପଦ ପାନୀୟ ଜଳ, ଆଧୁନିକ ବିଜ୍ଞାନ ଲାବରେଟୋରୀ ଏବଂ ଇ-ଲାଇବ୍ରେରୀ ପରିଦର୍ଶନ କରିଥିଲେ । ଏହି ବିଦ୍ୟାଳୟରେ ସୋଲାର୍ ବିଦ୍ୟୁତ୍ ଶକ୍ତିକୁ ଉଦ୍ଘାଟନ କରାଯାଇଥିଲା । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟ ସଚିବଙ୍କ ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଲୀରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତିଓ୍ବାସନ୍ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.