ଜୟ ଜଗନ୍ନାଥ ଟ୍ରକରସ ଆସୋସିଏସନର ଲୋକାର୍ପଣ ଉତ୍ସବ…


ସୁନ୍ଦରଗଡ : ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଜୟ ଜଗନ୍ନାଥ ଟ୍ରକରସ ଆସୋସିଏସନର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ ଏହି ସଂଘ ସାମାଜିକ କଲ୍ୟାଣ ପାଇଁ ପ୍ରଦାନ କରିଛି ଦୁଇଟି ଆମ୍ବୁଲାନ୍ସ, ଦୁଇଟି ଶବ ବାହକ ଯାନ, ଗୋଟିଏ ଶବ ସଂରକ୍ଷକ ଯନ୍ତ୍ର ଏବଂ ଏକ କ୍ରେନ୍। ଉକ୍ତ ଲୋକାର୍ପଣ ଉତ୍ସବରେ ସ୍ଵତନ୍ତ୍ର ଅତିଥି ଭାବରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶିବୋ ଟପ୍ପୋ, ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ.ସରୋଜ କୁମାର ମିଶ୍ର, ମହାନଦୀ କୋଲ୍ ଫିଲ୍ଡ ଆଞ୍ଚଳିକ ପ୍ରବନ୍ଧକ ସଞ୍ଜୟ କୁମାର ଝା , ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ତଥା ଜୟ ଜଗନ୍ନାଥ ଟ୍ରକରସ ଆସୋସିଏସନର ଅଧ୍ୟକ୍ଷ ସଞ୍ଜୟ ନନ୍ଦ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ଜିଲ୍ଲା ପରିଷଦ କୁନ୍ତୀ ପ୍ରଧାନଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବକୁ ଆରମ୍ଭ କରାଯାଇଥିଲା। ଏହା ପରେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ଵାରା ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସଂଘର ଅଧ୍ୟକ୍ଷ ସଞ୍ଜୟ ନନ୍ଦ ତାଙ୍କର ସ୍ଵାଗତ ସମ୍ଭାଷଣରେ ଉକ୍ତ ଲୋକାର୍ପଣ ଉତ୍ସବର ଆଭିମୁଖ୍ୟ ବର୍ଣ୍ଣନା କରିବା ସହିତ ଜେ.ଜେ.ଟି.ଏ ସାମାଜିକ କଲ୍ୟାଣ ଦିଗରେ ନେଇଥିବା ଏବଂ ନେବାକୁ ଯାଉଥିବା ପଦକ୍ଷେପ ଉପରେ ଗଭୀର ଆଲୋକପାତ କରିଥିଲେ। ତଦ୍ ସହିତ ସେ ଜିଲ୍ଲାପାଳଙ୍କୁ ଟ୍ରକ୍ ଚାଳକଙ୍କ କ୍ଳାନ୍ତ ଉପଶମ ତଥା ଅନ୍ୟାନ୍ୟ ସୁବିଧା ପାଇଁ ଦୁଇଟି ଟ୍ରକ୍ ଟର୍ମିନାଲ ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ଶ୍ରୀ ନନ୍ଦ ତାଙ୍କ ବକ୍ତବ୍ୟରେ ଗାଡ଼ି ଗୁଡ଼ିକ ଯେଭଳି ବେଶୀ ଥର କୋଇଲା ପରିବହନ କରିପାରିବେ ଓ ଭଡା ଠିକ୍ ସମୟରେ ପାଇଁ ପାରିବେ ସେ ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ପ୍ରକାଶ କରିଥିଲେ। ଅସୁବିଧାରେ ଥିବା ଗାଡ଼ି ମାଲିକଙ୍କ ଗାଡ଼ି ଜବତ ନ କରିବା ପାଇଁ ଫାଇନାନ୍ସ କମ୍ପାନୀ ଗୁଡ଼ିକ ସାଙ୍ଗରେ ଆଲୋଚନା କରାଯିବା ସହିତ ଗାଡ଼ି ମାଲିକଙ୍କ ସାମାଜିକ ସୁରକ୍ଷା ପାଇଁ ବର୍ଷକୁ ମାତ୍ର ୫୦୦/- ଟଙ୍କା ବୀମାକିସ୍ତିରେ ଦଶ ଲକ୍ଷ ଟଙ୍କାର ଜୀବନ ବୀମାର ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଅତି ଶୀଘ୍ର ନେବାର ସୂଚନା ମଧ୍ୟ ସେ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ସଂଘର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳ ତାଙ୍କ ସଂଭାଷଣରେ ଜିଲ୍ଲାରେ ଘଟୁଥିବା ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଉଦବେଗ ପ୍ରକାଶ କରିବା ସହିତ ଏହାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ସଂଘର ଏହି ମାନବକଲ୍ୟାଣମୂଳକ କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଉପଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ସଂଘର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ପ୍ରଶାସନ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ. ସରୋଜ କୁମାର ମିଶ୍ର ତାଙ୍କ ସମ୍ଭାଷଣରେ ଟ୍ରକ୍ ମାଲିକ ସଂଘର ଏହି ଆଭିମୁଖ୍ୟ ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଅଭିହିତ କରିବା ସହିତ ଲୋକାର୍ପିତ ହୋଇଥିବା ଆମ୍ବୁଲାନ୍ସ, ଶବବାହକ ଯାନ ଏବଂ ଶବ ସଂରକ୍ଷକ ଯନ୍ତ୍ର ସୁନ୍ଦରଗଡ଼ ଜନସାଧାରଣଙ୍କ ଉପାଦେୟତାରେ ବ୍ୟବହୃତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ।ମହାନଦୀ କୋଲ୍ ଫିଲ୍ଡର ଆଞ୍ଚଳିକ ପ୍ରବନ୍ଧକ ସଞ୍ଜୟ କୁମାର ଝା ମଧ୍ୟ ସଂଘର ଏହି ପଦକ୍ଷେପକୁ ମହତ୍ ବୋଲି ପ୍ରକାଶ କରିବା ସହିତ ଟ୍ରକ୍ ମାଲିକଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାସ୍ତା ମାଧ୍ୟମରେ କୋଇଲା ପରିବହନ କମ୍ ହେବ ନାହିଁ ବରଂ ଅଧିକ ହେବ ବୋଲି ଆଶ୍ୱାସନା ଦେଇଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଶିବୋ ଟପ୍ପୋ ତାଙ୍କ ବକ୍ତବ୍ୟରେ ତାଙ୍କ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ ମତବ୍ୟକ୍ତ କରି ଥିଲେ। ପୁର୍ବତନ ବିଧାୟକ ଯୋଗେଶ ସିଂ ସଂଘ ତାର ଏହି ମହତ୍ କାର୍ଯ୍ୟକୁ ଭବିଷ୍ୟତରେ ମଧ୍ୟ ଜାରି ରଖିବ ବୋଲି ଆଶା ପ୍ରକାଶ କରିଥିଲେ ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ତାଙ୍କ ଭାଷଣରେ ଜେ.ଜେ.ଟି.ଏ ସମମାନସିକତା ବ୍ୟକ୍ତିଙ୍କୁ ନେଇ ଗଠନ ହେଲା ପରେ କିଭଳି ବିଗତ କରୋନା ମହାମାରୀ ସମୟରେ ଶବସତ୍କାର ପାଇଁ କାଠ ଯୋଗାଇ ଦିଆ ଯାଇଥିଲା ଏବଂ ପ୍ରବାସୀ ଶ୍ରମିକଙ୍କୁ ସହାୟତା ପ୍ରଦାନ କରିଥିଲା ତାହା ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାଛଡ଼ା ସୁନ୍ଦରଗଡର ଅର୍ଥନୈତିକ ତଥା ସାମଗ୍ରୀକ ବିକାଶ ପାଇଁ ସେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନର ସହଯୋଗ କାମନା କରିଥିଲେ।
ସହରରେ ସ୍ଥାନୀୟ ଡାକ୍ତରଖାନା ଓ ନର୍ସିଂ ହୋମ୍ ଗୁଡିକରେ ଆମ୍ବୁଲାନ୍ସ ଥିବା ସତ୍ତ୍ବେ ଏହାର ଅଭାବ ପରିଲକ୍ଷିତ ହେଉଥିଲା। ମୃତ ବ୍ୟକ୍ତିଙ୍କ ଶବ ପରିବହନ ପାଇଁ ଯାନ ତଥା ଶବସଂରକ୍ଷଣ ପାଇଁ ଯନ୍ତ୍ରର ଅଭାବ ବହୁଳ ଭାବରେ ଅନୁଭୂତ ହେଉଥିବା ବେଳେ ଏହି ଲୋକାର୍ପିତ ବସ୍ତୁ ଗୁଡ଼ିକ ଏହି ଅଭାବକୁ ବହୁଳ ମାତ୍ରାରେ ସହାୟକ ହେବ ବୋଲି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କରୋନା ମହାମାରୀ ସମୟରେ ଅସଂଖ୍ୟ ଶବସତ୍କାର କରି ମାନବିକତା ପୃଷ୍ଠଭୂମିରେ ଉଦାହରଣ ସୃଷ୍ଟି କରିଥିବା ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡା, କମଲେଶ ନଥାନୀ, ଶିଶିର ବେହେରା, ମନୋଜ ତ୍ରିପାଠୀ, ଚିତ୍ତରଞ୍ଜନ ରକ୍ସା ଓ ଦେବେନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ଭଜନ ସନ୍ଧ୍ୟା ମଧ୍ୟ ଆୟୋଜିତ ହୋଇଥିଲା। ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ଉତ୍ସବରେ ଉପସ୍ଥିତ ରହିଥିବା ଏହି ସଂଘର ସାମାଜିକ ଦୃଷ୍ଟିକୋଣକୁ ପ୍ରମାଣିତ କରିଛି ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରୁଛନ୍ତି।ବିଶ୍ୱରଂଜନ ହୋତା ପରିଚାଳନା ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।



nis-ad
Leave A Reply

Your email address will not be published.