ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ

• ସରକାରୀ ହାଇସ୍କୁଲଗୁଡ଼ିକର ହଷ୍ଟେଲ ରୂପାନ୍ତରଣ
• ଶ୍ରମଜୀବୀ ମହିଳାମାନଙ୍କ କୁନି କୁନି ପିଲାମାନଙ୍କ ଯତ୍ନ ପାଇଁ ‘କଳିକା’
• ଗ୍ରାମାଞ୍ଚଳରେ ପୋଖରୀ ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟକ୍ରମ
• ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୱେବସାଇଟ୍ ଲୋକାର୍ପଣ

ସୁନ୍ଦରଗଡ଼ (୧୪/୦୪) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗୁରୁବାର ଦିନ ଜିଲ୍ଲା ସଂସ୍କୃତି ଭବନଠାରେ ଏଥିପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶୁଭାରମ୍ଭ ହୋଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳକୁ ରାଜ୍ୟ ସରକାରଙ୍କ ତ୍ୱରାନ୍ୱିତ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ର ସଂପ୍ରସାରଣ। ସେହିପରି ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକର ହଷ୍ଟେଲର ରୂପାନ୍ତରଣ, ଶ୍ରମଜୀବୀ ମହିଳାମାନଙ୍କ କୁନି କୁନି ପିଲାମାନଙ୍କ ଯତ୍ନ ପାଇଁ ‘କଳିକା’ ଗୃହ ଏବଂ ଗ୍ରାମାଞ୍ଚଳରେ ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ବିକାଶ। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଏ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏହି ଅବସରରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ନୂତନ ୱେବ୍‌ସାଇଟକୁ www.dmfsundargarh.in ଶୁଭାରମ୍ଭ କରାଯାଇଛି। ଏହାକୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ମଞ୍ଚରେ ଲୋକାର୍ପଣ କରିଥିଲେ।

ଏହି ୱେବସାଇଟ୍‌ରେ ଡିଏମଏଫର ଆର୍ଥିକ ସହାୟତାରେ ଜିଲ୍ଲାରେ ପରିଚାଳିତ ବିଭିନ୍ନ ପ୍ରକଳ୍ପର ବିବରଣୀ, ଭିଡିଓ ଏବଂ ପଡ୍‌କାଷ୍ଟ, ବାର୍ଷିକ ରିପୋର୍ଟ, ସୂଚନାପତ୍ର ତଥା ବିଭିନ୍ନ ପ୍ରକଳ୍ପ ସମ୍ପର୍କିତ ପୁସ୍ତିକା ପ୍ରକାଶ କରାଯାଉଛି। ଏହାଦ୍ୱାରା ସୁନ୍ଦରଗଡ଼ର ଜନସାଧାରଣ ଏବଂ ବିଭିନ୍ନ ପ୍ରକଳ୍ପର ହିତାଧିକାରୀ ବିଭିନ୍ନ ସୂଚନା ପାଇପାରିବେ।

‘‘ସ୍ଥାନୀୟ ଜନସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାଫଳରେ ଛାତ୍ରଛାତ୍ରୀ, ଶିଶୁ, ଗର୍ଭବତୀ ଓ ପ୍ରସୂତି ମା’ ବିଶେଷ ଉପକୃତ ହେବେ। ତା’ଛଡ଼ା ସୁନ୍ଦରଗଡ଼ ଗ୍ରାମାଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି। ଡିଏମଏଫର ନୂତନ ଓ୍ୱେବସାଇଟ୍ ମାଧ୍ୟମରେ ଜନସାଧାରଣ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସିଧାସଳଖ ଯୋଡ଼ି ହୋଇପାରିବେ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ସମସ୍ତ ସରକାରୀ ହାଇସ୍କୁଲର ଛାତ୍ରୀ ନିବାସ ଓ ଛାତ୍ରାବାସର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୩୫ଟି ହଷ୍ଟେଲର ରୂପାନ୍ତରଣ କରାଯାଉଛି।

ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ବିଭିନ୍ନ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କ ଭିତରେ ଉଦଭାବନଶୀଳ ଓ ସର୍ଜନାତ୍ମକ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଏଥିରେ ବିଶେଷ ଧ୍ୟାନ ଦିଆଯାଉଛି। ହଷ୍ଟେଲ ଭିତ୍ତିଭୂମିରେ ଆଧୁନିକ ପାଠାଗାର ଓ ରିଡିଙ୍ଗ ରୁମ୍, ବ୍ୟାୟାମ ତଥା ବିଭିନ୍ନ ଇନଡୋର କ୍ରୀଡ଼ା ବ୍ୟବସ୍ଥା ସହ ଅନ୍ତେବାସୀଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

ସୁନ୍ଦରଗଡ଼ ହେଉଛି ରାଜ୍ୟର ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। ତେଣୁ ଜିଲ୍ଲାର ଶ୍ରମଜୀବୀ ମହିଳାମାନଙ୍କ ସୁବିଧା ପାଇଁ, ବିଶେଷକରି ସେମାନଙ୍କ କୁନି କୁନି ପିଲାଙ୍କୁ ସେବା ଯତ୍ନ ଯୋଗାଇଦେବା ଲାଗି ‘କଳିକା’ ଗୃହର ଶୁଭାରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ – ଲହୁଣୀପଡ଼ା, ରାଜଗାଙ୍ଗପୁର, ହେମଗିର, କୁଆରମୁଣ୍ଡା, କୁତ୍ରା ଏବଂ କୋଇଡ଼ାଠାରେ ୯୦ଟି ‘କଳିକା’ ଗୃହ ପ୍ରତିଷ୍ଠା କରାଯାଇଛି। ଏଠାରେ ସାନ ସାନ ପିଲାଙ୍କ ପାଇଁ ସୁରକ୍ଷା ଓ ପୋଷଣ ସହ ଆନନ୍ଦମୟ ଶିକ୍ଷା ପରିବେଶ ସୃଷ୍ଟି କରାଯିବ।

ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ବିକାଶ ଲାଗି ଜିଲ୍ଲା ପ୍ରଶାସନ ବିଶେଷ ପଦକ୍ଷେପ ନେବାକୁ ଯାଉଛି। ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ପୋଖରୀର ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କାର୍ଯ୍ୟକ୍ରମ ଫଳରେ ପ୍ରଦୂଷିତ ଏବଂ ଅବ୍ୟବହୃତ ପୋଖରୀଗୁଡ଼ିକର ପୁନରୁଦ୍ଧାର କରାଯାଇ ସେଗୁଡ଼ିକୁ ଲୋକଙ୍କ ଦୈନନ୍ଦିତ ବ୍ୟବହାର ସହିତ କୃଷି ଓ ଜୀବିକା ବିକାଶ ଦିଗରେ ବ୍ୟବହାର କରାଯାଇପାରିବ।

ସୁନ୍ଦରଗଡ଼ ବହି ପଢ଼ ଅଭିଯାନ ଅଧୀନରେ ଆଜି ଜିଲ୍ଲାର ବିଭିନ୍ନ ସାର୍ବଜନୀନ ପାଠାଗାର, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ବିତରଣ କରାଯାଇଥିଲା। ସେହିପରି ସୁନ୍ଦରଗଡ଼, ବଣାଇଁ ଏବଂ ରାଉରକେଲା କାରାଗାରର ଅନ୍ତେବାସୀମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ବହି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସ୍ଵାଗତିକା ପଣ୍ଡା ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.