୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ଘରେ ଘରେ ପହଞ୍ଚିବ ପାଇପ୍ ପାଣି

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ। ଖରାଦିନେ ପିଇବା ପାଣିର ସମସ୍ୟା ନେଇ ମଙ୍ଗଳବାର ଗୃହରେ ଉଦ୍‌ବେଗ ପ୍ରକାଶ ପାଇଛି। ଉଭୟ ଶାସକ ଏବଂ ବରୋଧୀ ଗୃହରେ ପାନୀୟ ଜଳ ପ୍ରକଳ୍ପରେ ବିଳମ୍ବ ଏବଂ ପାନୀୟ ଜଳ ସଙ୍କଟ ପ୍ରସଂଗ ଉଠାଇ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

ଆଜି ବିଧାନସଭା ଗୃହରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ହେବା ନେଇ ଆଲୋଚନା ହୋଇଥିଲା। ଏହି ସମୟରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପିଇବା ପାଣି ପ୍ରସଂଗ ଉଠାଇଥିଲେ। ଗୃହରେ ପାଣିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ। ସେ କହିଛନ୍ତି ରାଜ୍ୟରେ ୨୨ ବର୍ଷ ଭିତରେ ମାତ୍ର ୯ଟି ପାନୀୟ ଜଳ ପ୍ରକଳ୍ପ ହୋଇପାରିଛି ଏବଂ ପୁରୁଣା ପ୍ରକଳ୍ପ ସବୁ ଅଚଳ ହୋଇ ପଡ଼ିରହିଛି। ଏ ଦିଗରେ ସରକାରଙ୍କର ଆନ୍ତରିକତା ନଥିବା ସେ କହିଛନ୍ତି।

ଅନ୍ୟପଟେ ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବା ପର୍ଯ୍ୟନ୍ତ ସରକାର କି ବ୍ୟବସ୍ଥା କରିଛନ୍ତି ବୋଲି ଶାସକ ଦଳ ବିଧାୟକ ପ୍ରଦୀପ ଅମାତ ପ୍ରଶ୍ନ କରିଥିଲେ। ଯଦି କୌଣସି ବ୍ୟବସ୍ଥା ହୋଇନାହିଁ ତେବେ ନଳକୂଅ ଯୋଗେ ପାଣି ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

ଆସନ୍ତା ୨୦୨୪ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ଘରେ ଘରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରେ ସବୁ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

nis-ad
Leave A Reply

Your email address will not be published.