ମିଳିଲାନି କ୍ଷତିପୂରଣ, ୧୨ ଅଧିକାରୀଙ୍କୁ ବନ୍ଧକ ରଖିଲେ ଚାଷୀ

ଚଣ୍ଡିଗଡ଼: ଫସଲ କ୍ଷତିର ସହାୟତା ଦାବି କରି କିଛି ଚାଷୀ ୧୨ ଜଣ ସରକାରୀ ଅଧିକାରୀଙ୍କୁ ବିଳମ୍ବିତ ରାତି ଯାଏ ବନ୍ଧକ ରଖିଥିବା ଖବର ସାମ୍ନାକୁ ଆସିଛି। ପଞ୍ଜାବର ଲାମ୍ବି ଜିଲ୍ଲା ଅନ୍ତର୍ଗତ ମୁକଟସର ସବ ତହସିଲରେ ଏପରି ଘଟଣା ଘଟିଛି। ବନ୍ଧକ ଥିବା ଅଧିକାରୀଙ୍କ ମଧ୍ୟରେ ନାଏବ ତହସିଲଦାର ଓ ପଟୱାରି ରହିଥିଲେ। ସେମାନେ ସହାୟତା ଦେଉ ନଥିବାରୁ ସମସ୍ତଙ୍କୁ ଚାଷୀମାନେ ଅଫିସ ବାହାରକୁ ଆସିବାକୁ ଦେଇ ନଥିଲେ।
ଫଳରେ ସେମାନେ ସୋମବାର ବିଳମ୍ବିତ ରାତି ଯାଏ ଅଫିସ ମଧ୍ୟରେ ଫସି ରହିଥିଲେ। ଶେଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲା। ଏହାପରେ ଅଧିକାରୀମାନେ ଅଫିସରୁ ବାହାରି ଘରକୁ ଯାଇଥିଲେ। ପୋକ ଆକ୍ରମଣ ଯୋଗୁ କଟନ ଉତ୍ପାଦନ କରୁଥିବା ଚାଷୀମାନେ ପ୍ରବଳ କ୍ଷତି ସହିଛନ୍ତି। ଏହାର କ୍ଷତିପୂରଣ ଦାବି କରି ଚାଷୀମାନେ ସୋମବାର ସବ ତହସିଲ ଅଫିସରେ ପହଞ୍ଚି ବିକ୍ଷୋଭ କରିଥିଲେ। ଏଥିସହ ଅଧିକାରୀମାନଙ୍କୁ ଅଫିସରୁ ବାହାରକୁ ଛାଡ଼ି ନଥିଲେ।
ଅନ୍ୟପକ୍ଷରେ ଅଧିକାରୀଙ୍କୁ ବନ୍ଧକ ରଖିବା ଘଟଣାରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ରାଜସ୍ୱ ବିଭାଗର କର୍ମଚାରୀ। ସେମାନେ ସମଗ୍ର ରାଜ୍ୟରେ ଘଟଣାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ୍‌ କହିଛି ଯେ ସୋମବାର ସବ ତହସିଲ ଅଫିସ ବାହାରେ ୧୦୦ରୁ ଅଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସନ୍ଧ୍ୟାରେ ଚାଷୀମାନେ ଅଫିସ ବିଲଡିଂରେ ପଶି ଅଧିକାରୀମାନଙ୍କୁ ମଧ୍ୟରାତ୍ର ଯାଏ ବନ୍ଧକ କରି ରଖିଥିଲେ। ଅଫିସ ମଧ୍ୟରେ ୧୨ ଜଣ ଅଧିକାରୀ ଫସି ରହିଥିଲେ। ଖବର ପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ସବଡିଭିଜନାଲ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝୁସୁଝା କରିଥିଲେ।
ହେଲେ ସେମାନେ ମଧ୍ୟରାତ୍ର ଯାଏ ଅଧିକାରୀମାନଙ୍କୁ ଛାଡ଼ି ନଥିଲେ। ଶେଷରେ ପୁଲିସ୍‌ ଅଧିକାରୀମାନଙ୍କୁ ବେଶ କୌଶଳକ୍ରମେ ଅଫିସ ମଧ୍ୟରୁ ସମସ୍ତ ଅଧିକାରୀମାନଙ୍କୁ ବାହାରକୁ ଆଣିଥିଲା। ଅଧିକାରୀମାନଙ୍କ ଅଭିଯୋଗ ଆଧାରରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

nis-ad
Leave A Reply

Your email address will not be published.