୫୦ ବର୍ଷର ସୀମା ବିବାଦ ତୁଟିଲା, ଦୁଇ ରାଜ୍ୟ ମଧ୍ୟରେ ଚୁକ୍ତି ହେଲା

ନୂଆଦିଲ୍ଲୀ: ଭାରତର ଦୁଇ ରାଜ୍ୟ ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେଲା ଜାରି ରହିଥିବା ସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସୀମା ବିବାଦରେ ବିରାମ ଲଗାଇବା ପାଇଁ ଆଜି ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଗୋଟିଏ ଚୁକ୍ତି କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଉକ୍ତ ଶାନ୍ତି ଚୁକ୍ତିରେ ଦସ୍ତଖତ କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଚୁକ୍ତି ସମୟରେ ଉପସ୍ଥିତ ରହିଥିଲେ।
ଦୀର୍ଘ ଦଶନ୍ଧି ଧରି ଚାଲିଥିବା ବିବାଦର ସମାଧାନ ହୋଇଥିବାରୁ ଶ୍ରୀ ଶାହ ଉତ୍ତର-ପୂର୍ବ ରାଜ୍ୟ ପାଇଁ ଆଜି ଗୋଟିଏ ଐତିହାସିକ ଦିନ ବୋଲି କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଫିସରେ ଚୁକ୍ତି ସ୍ୱାକ୍ଷରିତ ହେବା ସମୟରେ ମେଘାଳୟର ୧୧ ଜଣ ଓ ଆସାମର ୯ ଜଣ ଅଧିକାରୀ ଉପସ୍ଥିତ ରହିଥିଲେ।
ସୀମା ବିବାଦର ସମାଧାନ କରିବାକୁ ଉଭୟ ଆସାମ ଓ ମେଘାଳୟ ଚିଠା ପ୍ରସ୍ତାବ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇଥିଲେ। ୧୨ ରିଜନରୁ ୬ଟି ବିବାଦୀୟ ଅଞ୍ଚଳର ସମାଧାନ ପାଇଁ ଚିଠି ପ୍ରସ୍ତାବରେ ବ୍ୟବସ୍ଥା ହୋଇଥିଲା। ଆସାମ ଓ ମେଘାଳୟ ମଧ୍ୟରେ ୮୮୫ କିମି ସୀମା ରହିଛି।
ଦୁଇ ରାଜ୍ୟ ମଧ୍ୟରେ ଉପର ତାରାବାରି, ଗାଜାଙ୍ଗ ସଂରକ୍ଷିତ ଜଙ୍ଗଲ, ହାହିମ, ଲାଙ୍ଗପି, ବୋରଦୌର, ବୋକଲାପଡ଼ା, ନୋଙ୍ଗୱା, ମାତାମଉର, ଖାନାପଡ଼ା-ପିଲାଙ୍ଗକାଟା, ଦେଶଦେମୋରେହା ବ୍ଲକ-୧ ଓ ବ୍ଲକ ୨, ଖାଣ୍ଡୁଲି ଏବଂ ରେଟାଚେରା ଅଞ୍ଚଳକୁ ନେଇ ବିବାଦ ଲାଗି ରହିଥିଲା। ଏହି ସବୁ ଅଞ୍ଚଳ ଦୁଇ ରାଜ୍ୟର ସୀମାରେ ଅବସ୍ଥିତ।
ଏହା ଉପରେ ଉଭୟ ରାଜ୍ୟ ନିଜର ଅଧିକାର ଜାହିର କରି ଚାଲିଥିଲେ। ତେଣୁ ଅନେକ ସମୟରେ ସୀମାରେ ଉତ୍ତେଜନା ଦେଖିବାକୁ ମିଳୁଥିଲା। ମେଘାଳୟ ସରକାର ଆସାମ ରିଅର୍ଗାନାଇଜେସନ ଆକ୍ଟ ୧୯୭୧ ଅନୁସାରେ ପଦକ୍ଷେପ ନେଉଥିବା ବେଳେ ଏହାକୁ ବିଭିନ୍ନ ସମୟରେ ଚ୍ୟାଲେଞ୍ଜ କରାଯାଉଛି।
ତେଣୁ ଦୁଇ ରାଜ୍ୟ ମଧ୍ୟରେ ପ୍ରାୟ ୫୦ ବର୍ଷ ହେଲା ସୀମା ବିବାଦ ଲାଗି ରହିଥିଲା। ହେଲେ ଏବେ ସ୍ୱତନ୍ତ୍ର ଚୁକ୍ତି ଦ୍ୱାରା ସୀମାନ୍ତରେ ୩୬.୭୯ ବର୍ଗ କିମି ବିବାଦୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହେବ। ବୁଝାମଣା ଅନୁଯାୟୀ, ଆସାମ ନିଜ ପାଖରେ ୧୮.୫୧ ବର୍ଗ କିମି ଜମି ରଖିବ ଓ ବାକି ୧୮.୨୮ ବର୍ଗ କିମି ଜମି ମେଘାଳୟକୁ ଦେବ।

nis-ad
Leave A Reply

Your email address will not be published.