ଟ୍ରକ୍ ସହ ବାଇକ୍ ମୁହାଁମୁହିଁ : ବାଇକ୍ ଚାଳକ ମୃତ, ୨ ଗୁରୁତର


ହିଞ୍ଜିଳିକାଟୁ, (୧୫/୩) : ହିଞ୍ଜିଳି ଥାନା ସିକିରି – ଖରିଡା ମଧ୍ୟବର୍ତ୍ତୀ ରାସ୍ତାରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକ ଜଣକ ପୁରୁଷୋତ୍ତମପୁର ଥାନା ତଥା ହିଞ୍ଜିଳିକାଟୁ ବ୍ଲକ୍ ନନ୍ଦିକ ଗ୍ରାମର ନିଳାଞ୍ଚଳ ଦାସ (୨୩) ଓ ଆହତ ଜଣକ ସେହି ଗ୍ରାମର ରାଜେଶ ଦାସ (୨୫) ଓ ବ୍ରହ୍ମପୁର ସଦର ଥାନା ରତ୍ନ ପୁର ଗ୍ରାମର ମିଟୁ ଦାସ (୨୯)। ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୨୦/୨୨ ରେ ଏକ ମାମଲା ରୁଜୁ ହୋଇଛି । ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରାଯାଇଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ନନ୍ଦିକ ଗ୍ରାମର ନିଳାଞ୍ଚଳ, ରାଜେଶ ଓ ରତ୍ନପୁର ଗ୍ରାମର ମିଟୁ ଏକ ହିରୋ ଏଚଏଫ ଡିଲକ୍ସ (ଓଡି୦୭ଡବ୍ଳୁ ୯୭୪୯) ବାଇକ୍ ରେ କରେଇଶୁଣୀ ମନ୍ଦିରରୁ ଭୋଜି ଖାଇ ଗାଁ କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ (ଓଡି୦୨ଏଭି ୩୧୨୯) ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ବାଇକ୍ ଆରୋହୀ ଓ ସାଥି ମାନେ ଗୁରୁତର ଆହତ ରାସ୍ତା ଉପରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ନିଳାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲେ । ଆହତ ମିଟୁ ଓ ରାଜେଶଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୂର୍ଘଟଣା ପରେ ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

nis-ad
Leave A Reply

Your email address will not be published.