ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଅଭିଯୋଗ

ଦାରିଙ୍ଗବାଡ଼ି : ମନରେଗା ଯୋଜନାରେ ଦିନ କୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ମନରେଗା ଯୋଜନାରେ ଦୁର୍ନୀତି କରି ରାତାରାତି କୋଟିପତି ହେଉଛନ୍ତି ଦାୟିତ୍ୱରେ ଥିବା ସରକାରୀ ବାବୁ । କେତେବେଳେ ମୃତ ବ୍ୟକ୍ତି କାମ କରିଥିବା ନେଇ ଟଙ୍କା ହଡ଼ପ କରାଯାଉଛି ତ ଆଉ କେତେବେଳେ କାମ ନକରି ଲୋକଙ୍କ ନାଁରେ ଟଙ୍କା ଛଡାଯାଇ ଉକ୍ତ ଟଙ୍କାକୁ ଆତ୍ମସାତ କରାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀ ସବୁ ଜାଣିଶୁଣି ଚୁପ ରହୁଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି କିଛି ଏଭଳି ଦୁର୍ନୀତି ଅଭିଯୋଗ । ରାସ୍ତା ନିର୍ମାଣ ଓ ଜମି ଉନ୍ନୟନ କାମରେ ହୋଇଛି ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ ।

ଜଗନ୍ନାଥ ମନ୍ଦିର ଠାରୁ ଜୁଡାବାଡ଼ି ମୁରୁମ ରାସ୍ତାରେ ୪୫୦ ଦିନର ଶ୍ରମ ଦିବସ ବାବଦକୁ ୯୬ ହଜାର ୭୭୫ ଟଙ୍କା ବିଲ କରାଯାଇଥିବା ବେଳେ ୧୭୦ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ ହୋଇଥିବା ବେଳେ ୨୮୦ ଶ୍ରମ ଦିବସର ୬୦ ହଜାର ଟଙ୍କାର ମିଥ୍ୟା ବିଲ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି ସିମନବାଡ଼ି ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଗବାଟବାଡ଼ି ଗ୍ରାମକୁ ରାସ୍ତା ନିମନ୍ତେ ୧ ହଜାର ୨୫ ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ୨ ଲକ୍ଷ ୨୦ ହଜାର ଟଙ୍କା ବିଲ କରାଯାଇଥିବା ବେଳେ ୫ ଶହ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟହୋଇଥିବା ବେଳେ ୫ ଶହ ଶ୍ରମ ଦିବସର ୧ଲକ୍ଷ ଟଙ୍କାର ମିଥ୍ୟା ବିଲ ହୋଇଛି । ଦଡ଼ିବାଡ଼ି ପୁସିମାହା ଠାରୁ ପୁରୁଣାପୋଷ୍ଟ ରାସ୍ତା କାମରେ ୧ ହଜାର ୪ ଶହ ଶ୍ରମ ଦିବସ ବାବଦ କୁ ୩ ଲକ୍ଷ ଟଙ୍କା ବିଲ ହୋଇଥିବା ବେଳେ ୫ ଶହ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟହୋଇ ୯ ଶହ ଶ୍ରମ ଦିବସର ୧ ଲକ୍ଷ ୮୦ ହଜାର ଟଙ୍କାର ମିଥ୍ୟା ବିଲ କରାଯାଇଛି । ଲାରୀବାଡ଼ି ଠାରୁ କୁଡିମୁଂଜା ରାସ୍ତା କାର୍ଯ୍ୟରେ ୨ ହଜାର ୭୬ ଶ୍ରମ ଦିବସ ବାବଦକୁ ୪ ଲକ୍ଷ ୨୪ ହଜାର ଟଙ୍କା ବିଲ ହୋଇଥିବା ବେଳେ ୮ ଶହ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ ହୋଇ ୧୧ ଶହ ଶ୍ରମ ଦିବସର ୨ ଲକ୍ଷ ୩୦ ହଜାର ଟଙ୍କା ମିଥ୍ୟା ବିଲ କରାଯାଇଛି ।

ଜୁଡାବାଡ଼ି ଠାରୁ ବ୍ରହ୍ମପାଙ୍ଗା ରାସ୍ତା କାମରେ ୧ ହଜାର ୩୦୨ ଶ୍ରମ ଦିବସ ବାବଦକୁ ୨ ଲକ୍ଷ ୮୦ ହଜାର ଟଙ୍କା ବିଲ ହୋଇଥିବା ବେଳେ ୩ ଶହ ଶ୍ରମ ଦିବସ ମଧ୍ୟରେ କାମ କରାଯାଇ ୧ ହଜାର ଶ୍ରମ ଦିବସର ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ମିଥ୍ୟା ବିଲ କରାଯାଇଥିବା ଦେଖିବାକୁ ମିଳିଛି । ସିମନବାଡ଼ି ଜମି ଉନ୍ନୟନ କାମ ଆଦ୍ୱ ହୋଇନଥିବା ବେଳେ ୧ ହଜାର ୭୩୭ ଶ୍ରମ ଦିବସ ବାବଦକୁ ୩ ଲକ୍ଷ ୭୦ ହଜାର ଟଙ୍କା ସମ୍ପୂର୍ଣ ମିଥ୍ୟାବିଲ ହୋଇଛି । ପାଟଖଣ୍ଡା ମନ୍ଦିର ଠାରୁ ମଶାଣି ରାସ୍ତା କାମରେ ୭୮୬ ଶ୍ରମ ଦିବସ ବାବଦକୁ ୧ ଲକ୍ଷ ୭୦ ହଜାର ବିଲ ହୋଇଥିବା ବେଳେ ମାତ୍ର ୨ ଶହ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ କରାଯାଇ ୯୦ ହଜାର ଟଙ୍କାର ମିଥ୍ୟା ବିଲ କରାଯାଇଛି । ଏଭଳି ଭାବେ ଗବାଟବାଡ଼ି ଜମି ଉନ୍ନୟନ କାମ,ଜୁଡାବାଡ଼ି ସାହି ରାସ୍ତା କାମ,ଗବାଟବାଡ଼ି ଜମି ଉନ୍ନୟନ କାମ,ଡକରବାଡ଼ି ରାସ୍ତା କାମ ଭଳି ଅନେକ ମନରେଗା କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏକାଧିକ ପ୍ରକଳ୍ପରେ ଆଜି ପର୍ଯ୍ୟନ୍ତ ନାମ ଫଳକ କରାନଯାଇ ସ୍ଥାନୀୟ ଲୋକଙ୍କୁ ଅନ୍ଧାର ଭିତରେ ରଖି ସବୁ ଏଭଳି ଦୁର୍ନିତି କରିଥିବା ଦେଖିବାକୁ ମିଳିଛି । ଏଭଳିକି ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ କରାଯାଇଥିଲେ ସୁଦ୍ଧା କାର୍ଯ୍ୟକରିଥିବା ଶତାଧିକ ଶ୍ରମିକ ଏପର୍ଯ୍ୟନ୍ତ ନିଜର ପାରିଶ୍ରମିକ ଟଙ୍କା ପାଇନଥିବା ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି ଶ୍ରମିକ । ମନରେଗା କାର୍ଯ୍ୟକୁ ତଦାରଖ କରିବା ପାଇଁ ପଞ୍ଚାୟତ ଠାରୁ ଆରଂଭ କରି ବ୍ଲକ ଓ ଜିଲ୍ଲାରେ ଅଧିକାରୀ ମାନେ ନିଯୁକ୍ତି ହୋଇଥିଲେ ସୁଧା ତଦାରଖ ଅଭାବରୁ ଏଭଳି ଦୁର୍ନୀତି ବୃଦ୍ଧି ପାଉଥିବା ଅଂଚଳବାସୀ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସିମନବାଡ଼ି ଜିଆରଏସ ବିଜୟ ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ ସେମିତି କିଛି ହେଇନାହିଁ ସବୁ ଠିକ ବିଲ ହୋଇଥିବା କଥା କହିଥିବା ବେଳେ କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠିଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇନଥିଲା ।

nis-ad
Leave A Reply

Your email address will not be published.