ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅପରାଧି ବିରୁଦ୍ଧରେ ଏନ୍ଏ‌ସ୍ଏ‌ ଲଗାଇବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ୱର – ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପରାଧ ପୃଷ୍ଠଭୂମି ଥିବା ଅପରାଧି ମାନଙ୍କୁ ପୋଲିସ ଆଗୁଆ ଗିରଫ କରି ହାଜତରେ ରଖିବା ଆବଶ୍ୟକ । କିନ୍ତୁ ବିଭିନ୍ନ ମାମଲା ଥିବା, ୱାରେଂଟ ଥିବା, ବିଗତ ନିର୍ବାଚନ ଗୁଡ଼ିକରେ ବୁଥ ରିଗିଂ କରିଥିବା ଓ ଶାନ୍ତିଭଙ୍ଗ କରିବାର ଆଶଙ୍କା କରିବାର ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ପୋଲିସ ପ୍ରତିଷେଧକ କାର୍ଯ୍ୟାନୁଷ୍ଠାନ ଭାବେ ଆଗୁଆ ହାଜତକୁ ନେଉ ନାହିଁ ତେଣୁ ରାଜ୍ୟରେ ଚଳିତ ପଂଚାୟତ ନିର୍ବାଚନରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରିଛି କଂଗ୍ରେସ ।

ଆଜି କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ଶ୍ରୀ ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ ପୋଲିସକୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ।
କଂଗ୍ରେସ ଦଳ ତରଫରୁ ଶ୍ରୀ ମହାପାତ୍ର କହିଲେ ଯେ, କଂଗ୍ରେସ ଦଳ ସବୁବେଳେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଚାହେଁ । ସେଥିପାଇଁ ଆମେ ବହୁବାର କମିଶନଙ୍କ ପାଖରେ ବିଭିନ୍ନ ଘଟଣା ଉପସ୍ଥାପନା କରି ପୋଲିସକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିିଥିଲୁ । କମିଶନ ମଧ୍ୟ ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ସେହି ନିର୍ଦ୍ଦେଶ ତଳ ଭାଗରେ ଠିକ ଭାବରେ କାର୍ଯ୍ୟକାରି ହେଉନଥିବା ଯୋଗୁଁ ହିିଂସାତ୍ମକ କାର୍ଯ୍ୟକଳାପ ରୋକାଯାଇ ପାରୁନାହିଁ । ଚଳିତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରୁ ଆଜି ପର୍ଯ୍ୟନ୍ତ ଗଣତନ୍ତ୍ରର ଚତୁର୍ଥସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବର୍ବରୋଚିତ ଭାବେ ଆକ୍ରମଣ କରାଯାଉଛି, ଯାହା ସଂପୂର୍ଣ୍ଣ ନିନ୍ଦନୀୟ ଓ ସୁସ୍ଥ ଗଣତନ୍ତ୍ର ପରିପନ୍ଥି । ସାମ୍ବାଦିକୁ ଆକ୍ରମଣ ଘଟଣାରେ ସଶ୍ଳିଂଷ୍ଟ ଅପରାଧି ମାନଙ୍କ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଜି ଯାଜପୁର ଜିଲ୍ଳାର ବିଂଝାରପୁର ବ୍ଲକରେ ହୋଇଥିବା ସାମ୍ବାଦିକ ମାନଙ୍କୁ ହତ୍ୟା ଉଦ୍ୟମ ଘଟଣା ଯୋଗୁଁ ଯାଜପୁର ଏସ୍‌ପିଙ୍କୁ ନିଲମ୍ବନ କିମ୍ବା ବଦଳି ଦାବି କରିଥିଲେ । ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ସଦରବ୍ଲକ ପୂର୍ବତନ ଅଧ୍ୟକ୍ଷ ବାସୁଦେବ ପତି ବଲାଙ୍ଗିର ବିଧାୟକଙ୍କର ପ୍ରତିନିଧି ସରୋଜ ରଥଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଦେବାର ଧମକ ଘଟଣା ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ । ଆସନ୍ତା ୨୨ ତାରିଖରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରାଇବା ପାଇଁ ଶ୍ରୀ ପତି ସମେତ ବଲାଙ୍ଗିର ସହରର କିଛି ଅଭ୍ୟାସଗତ ଅପରାଧି ମାନଙ୍କୁ ପୋଲିସ ତୁରନ୍ତ ହେପାଜତକୁ ନେବାପାଇଁ ଦାବି କରିଥିଲେ ।
ପୁନଶ୍ଚ ବିଗତ ଦିନର ନିର୍ବାଚନ ଗୁଡ଼ିକରେ ବୁଥ ରିଗିଂ, ଜବରଦଖଲ, ମାଡ଼ପିଟ ଭଳି ଘଟଣା ଘଟିଥିବା ସମ୍ବେଦନଶୀଳ ଅଂଚଳ ଭାବେ ଚିହ୍ନିତ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ସାଲେପାଲି ଗ୍ରାମପଂଚାୟତ, ଯାଜପୁର ଜିଲ୍ଲା ବରୀ ବ୍ଲକର ବରୀ, ଅଲିପୁର, କଳାମାଟିଆ, ଗମ୍ମୁ ଓ ସେରପୁର ଗ୍ରାମପଂଚାୟତ ଅଂଚଳରେ ମତଦାନ ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ।

nis-ad
Leave A Reply

Your email address will not be published.