ଅନୁଗୋଳ: ବାହାଘର ପାଇଁ ବାହାରିଥିଲା ବର ଯାତ୍ରୀ । ସମସ୍ତେ ହସ ଖୁସିରେ ନାଚି ନାଚି କନ୍ୟାଘରକୁ ଆଡ଼କୁ ଯାଉଥିଲେ । କିନ୍ତୁ ଏହି ସମୟରେ ଘଟିଗଲା ଅଘଟଣ, ଆଉ ଖୁସିର ପରିବେଶରେ ଖେଳିଗଲା ଦୁଃଖର କଳା ବାଦଲ । ବାହାଘର ପ୍ରସେସନରେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ଘଟି ଜଣଙ୍କ ଜୀବନ ଚାଲିଯାଇଛି । ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ନିଜେ ବାଣ ଫୁଟାଳି ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଗେଙ୍ଗୁଟିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରସେସନରେ ବାଣ ଫୁଟା ଯାଉଥିଲା । ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ବିସ୍ଫୋରଣ ଏତେ ଅଧିକ ଥିଲା ଯେ ସେଠାରେ ହିଁ ବାଣ ଫୁଟାଳିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ଜଣାପଡ଼ିଥିବା ବେଳେ ତାଙ୍କ ଘର ତାଳଚେରର ସନ୍ଥପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଖବର ପାଇ ରେଙ୍ଗାଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।