ଚାଲିଛି ଗଣତନ୍ତ୍ରର ମହାପର୍ବ, ଶାନ୍ତିଶୃଙ୍ଖଳାରେ ଭୋଟ ଦେଉଛନ୍ତି କୋଟିଆବାସୀ

କୋରାପୁଟ : ଭୋଟ ଦେଉଛି କୋଟିଆ । ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆରେ ପଞ୍ଚାୟତରେ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସମସ୍ତ ଦ୍ବନ୍ଦକୁ ପଛରେ ପକାଇ ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ସୁରୁଖୁରୁରେ ଚାଲିଛି ଭୋଟିଂ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ଗ୍ରାମର ଲୋକେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସୁଦ୍ଧାରେ କୋଟିଆରେ 40 ପ୍ରତିଶତ ମତଦାନ ହୋଇଛି ।
କୋଟିଆ ପଞ୍ଚାୟତରେ ସମୁଦାୟ 5,197 ଜଣ ଭୋଟର ରହିଛନ୍ତି । ଏଠାରେ ଜିଲ୍ଲା ପରିଷଦ ଆସନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଟ୍ଟାଙ୍ଗୀ ଜୋନ-୧ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀ ଓ ନିର୍ଦଳୀୟ ପ୍ରାର୍ଥୀ ଟିକାଇ ଗେମେଲଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ କୋଟିଆ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସାତ ଜଣ ପ୍ରାର୍ଥୀ ରଣାଙ୍ଗନରେ ଅଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏବଂ ବିଶୃଙ୍ଖଳାକୁ ଏଡାଇବା ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । କଡା ସୁରକ୍ଷା ମଧ୍ୟରେ ଗାଁ ନେତା ବାଛୁଛନ୍ତି କୋଟିଆବାସୀ । କିଛି ସ୍ଥାନରେ ନିଜ ନାଁ ଭୋଟ କେନ୍ଦ୍ରର ତାଲିକାରେ ନଥିବା ଯୋଗୁଁ ଭୋଟର ଫେରିଯାଇଥିବାର ଅଭିଯୋଗ ହୋଇଛି । ତେବେ ଫଗୁଣସିନେରୀ ଠାରୁ ଆରମ୍ଭ କରି ମାଡକାର, କୋଟିଆ, ସେଂବି ଓ ତାଡିବାଲାସା ପୋଲିଂ ବୁଥ୍‌ରେ ବିନା କୌଣସି ଦ୍ବନ୍ଦରେ ମତଦାନ ଚାଲିଥିବା ହୋଇଥିବା କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ଜଣାଇଛନ୍ତି ।

nis-ad
Leave A Reply

Your email address will not be published.