ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଚାରରେ ଦୁଲୁକୁଛି ଗାଁ ଦାଣ୍ଡ…


ହିଞ୍ଜିଳିକାଟୁ,: ଚଳିତ ମାସ ୧୬ ତାରିଖ ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧୬ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ବିଜୟ ଲକ୍ଷ୍ୟ ନେଇ ଆପ୍ରାଣ ଉଦ୍ୟମ ଜାରି ରଖିବା ସହ ଦିନରାତି ଏକାକାର କରି ଦେଇଥିବା ଦେଖିବାକୁ ମିଳିଛି । ପ୍ରଚାର ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହାତରେ ମାତ୍ର ଆଉ ୨ ଦିନ ରହିଥିବା ବେଳେ ଗାଁ ଗଣ୍ଡାରେ ପ୍ରଚାର ଅଭିଯାନ ଜୋର ଧରିଛି । ଗାଁର ସାହି ରାସ୍ତା ସମେତ ଗଳିକନ୍ଦି ପ୍ରାର୍ଥୀଙ୍କ ପୋଷ୍ଟର ଓ ବ୍ୟାନରରେ ସଜେଇ ହୋଇ ରହିଥିବା ବେଳେ ପ୍ରଚାରରେ ଗାଁ ଦାଣ୍ଡ ଦୁଲୁକି ଉଠୁଛି । ବିଭିନ୍ନ ଗୀତର ଟ୍ରାକରେ ପ୍ରାର୍ଥୀ ଦଳ ଦଳ ହୋଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ଗାଁରେ ମୋଟର ସାଇକେଲ ରାଲି ସାଙ୍ଗକୁ ରାତିରେ ଭୋଜି ଭାତର ଆସର ଜମୁଛି । ପ୍ରଶାସନ ପକ୍ଷରୁ କଟକଣା ସାମାନ୍ୟ କୋହଳ ପରେ ପ୍ରାର୍ଥୀ ମାନଙ୍କ ଶିବିରରେ ଉତ୍ସାହ ବୃଦ୍ଧି ପାଉଛି । ସେହିପରି ଅନେକ ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ମାନେ ଆବଶ୍ୟକ ଠାରୁ ଯଥେଷ୍ଠ ପରିମାଣରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ଗାଁ ଦାଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଛି ଭୋଟର ଗତ ୫ ବର୍ଷର ବିକାଶର ହିସାବ ନିକାଶ କରୁଛନ୍ତି ।

nis-ad
Leave A Reply

Your email address will not be published.