‘ଜମି କେନ୍ଦ୍ର ଦେଉ, ଘର ଦିଲ୍ଲୀ ସରକାର କରିବେ…’, ସଫେଇ କର୍ମଚାରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ
ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ ଆଜି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏକ ନୂଆ ଘୋଷଣା କରିଛନ୍ତି । ସେ ସଫେଇ କର୍ମଚାରୀଙ୍କୁ ଶସ୍ତା ଘର ଯୋଗାଇ ଦେବା ସମ୍ପର୍କରେ କହିଛନ୍ତି ।
କେଜ୍ରିୱାଲ କହିଛନ୍ତି, ଯଦି କେନ୍ଦ୍ର ସରକାର ସବସିଡିରେ ଜମି ଉପଲବ୍ଧ କରାନ୍ତି, ତେବେ ଦିଲ୍ଲୀ ସରକାର ତାହା ଉପରେ ଘର ନିର୍ମାଣ କରିବେ ଏବଂ ସହଜ କିସ୍ତିରେ ସଫେଇ କର୍ମଚାରୀଙ୍କୁ ମାଲିକାନା ଅଧିକାର ପ୍ରଦାନ କରିବେ ।
କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ ଜମି ମାମଲା କେନ୍ଦ୍ର ଅଧୀନରେ ରହିଛି । ତେଣୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏ ସମ୍ବନ୍ଧରେ ଅନୁରୋଧ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ଜୀ, ମୁଁ NDMC ଏବଂ MCD ଅଞ୍ଚଳରେ କାମ କରୁଥିବା ସଫେଇ କର୍ମଚାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଏହି ଚିଠି ଲେଖୁଛି । ଏହି କର୍ମଚାରୀମାନେ ଆମ ସହରର ପରିମଳ ବ୍ୟବସ୍ଥାର ମେରୁଦଣ୍ଡ’ ।
ସେ ଆହୁରି ଲେଖିଛନ୍ତି, ‘ସେମାନେ ଚାକିରି ସମୟରେ ସରକାର ଯୋଗାଇଥିବା ଘରେ ରୁହନ୍ତି, କିନ୍ତୁ ଅବସର ପରେ ସେମାନଙ୍କୁ ଏହି ଘର ଖାଲି କରିବାକୁ ପଡ଼ିଥାଏ । ସେମାନେ ନିଜ ଘର କିଣିବାକୁ କିମ୍ବା ଦିଲ୍ଲୀରେ ଅଧିକ ଭଡ଼ାରେ ଘର ନେବାକୁ ଅସମର୍ଥ ଥାଆନ୍ତି । ଯାହା ଦ୍ୱାରା ସେମାନେ ଏବଂ ସେମାନଙ୍କ ପରିବାର ଅସୁରକ୍ଷିତ ଅବସ୍ଥାକୁ ଆସିଯାଆନ୍ତି ।
ଯେହେତୁ ଦିଲ୍ଲୀରେ ଜମି ସମ୍ବନ୍ଧୀୟ ମାମଲା କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି, ତେଣୁ ପରିମଳ କର୍ମଚାରୀଙ୍କୁ ରିହାତି ମୂଲ୍ୟରେ ଜମି ଯୋଗାଇବାକୁ ଅନୁରୋଧ କରାଯାଇଛି । ଦିଲ୍ଲୀ ସରକାର ଏହି ଜମିରେ ସେମାନଙ୍କ ପାଇଁ ଘର ନିର୍ମାଣ କରିବେ ଏବଂ କର୍ମଚାରୀମାନେ ସହଜ କିସ୍ତିରେ ସରକାରଙ୍କୁ ଏହି ଘରର ମୂଲ୍ୟ ଫେରସ୍ତ କରିବେ ବୋଲି କେଜ୍ରିୱାଲ ଚିଠିରେ ଉଲ୍ଲେଖ କରିଛନ୍ତି ।