ଅଦିନିଆ ଲଘୁଚାପ ବର୍ଷାରେ ଧାନ ଓ ପନିପରିବା ଫସଲ ନଷ୍ଟ , କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ…


ହିଞ୍ଜିଳିକାଟୁ, ୨୭।୧୨: ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନ କୁଣ୍ଢେମୋଟ ହୋଇ ଯାଇଥିଲା । ହେଲେ ଅମଳ ବେଳକୁ ସତେଯେମିତି ଦଇବ ଦାଉ ସାଧିଛି । ଡିସେମ୍ବର ମାସରେ ଚାଷୀ ଧାନ ଅମଳ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ଡିସେମ୍ବର ମାସ ପ୍ରଥମରୁ ିିଁ ବର୍ଷା ଦାଉ ସାଧିଥିଲା । କଷ୍ଟମଷ୍ଟେ ଚାଷୀ ତାର ଅମଳ ଧାନକୁ ସାଇତି ରଖିବାରେ ଉଦ୍ୟମ କରି ସଫଳ ହୋଇଥିଲା । କିଛି ଚାଷୀ କ୍ଷେତରୁ ଧାନକାଟି ଖଳାରେ ଗଦା କରିଥିବା ବେଳେ କିଛି ଚାଷୀ ଧାନକୁ କାଟି କ୍ଷେତ୍ରରେ ହିଁ ଗଦା କରିଥିଲେ । ଏଭଳି ସମୟରେ ଡିସେମ୍ବର ତୃତୀୟ ସପ୍ତାହରେ ଅଦିନିଆ ଲଘୁଚାପ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷୀ ତାର ଅମଳ ଧାନକୁ ହରାଇବା ଆଶଙ୍କା ରହିଥିଲା । ବର୍ଷା ବନ୍ଦ ପରେ ଅମଳ ଧାନରେ ବର୍ଷା ପାଣି ରହିଥିବାରୁ ଚାଷଜମିରୁ ଧାନକୁ ବାହାର କରି ଶୁଖାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଣିଥରେ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷଜମିରେ ପଡିଥିବା ଧାନ ଗଜା ହୋଇପଡିଛି । ଏଭଳି ପରିସ୍ଥିତିରେ ଚାଷୀ ତାର ବର୍ଷକର ଭାତହାଣ୍ଡିକୁ ହରାଇ ବସିଛି । ବର୍ଷତମାମ କିଭଳି ପରିବାର ପ୍ରତିପୋଷଣ କରିବ ସେ, ନେଇ ଚିନ୍ତାରେ ପଡିଛି ଚାଷୀ । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ପରିଚିତ ଥିବା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡା, ଖଣ୍ଠରା, ଚାନ୍ଦୁଲି, ସିକିରି, ରାଳବ, ଶାସନଆମ୍ବଗାଁ, ଖରିଡା, ଆଲପୁର ଅଞ୍ଚଳରେ ଅମଳ ପନିପରିବା ଫସଲ ଲଘୁଚାପ ବର୍ଷାରେ ନଷ୍ଟ ହୋଇଯାଇଛି । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଧାନ ଓ ପନିପରିବା ଚାଷୀଙ୍କୁ କ୍ଷତିପୁରଣ ରାଶି ବାବଦରେ ୪ ଦଫା ଦାବି ନେଇ ହିଞ୍ଜିଳି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଉପଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛି । ଲଘୁଚାପ ଜନିତ ବର୍ଷାରେ କ୍ଷତି ହୋଇଥିବା ସମସ୍ତ ପ୍ରକାର ଧାନକୁ ମଣ୍ଡିରେ ଗ୍ରହଣ କରିବା, ଚାଷୀଙ୍କ ଋଣଛାଡ଼ କରିବା, ମାଗଣାରେ ବିହନ ଯୋଗାଇବା ଓ ବିନାମୂଲ୍ୟରେ ସାର ଓ କୀଟନାଶକ ଓାୖଷଧ ଯୋଗାଇ ଦେବାକୁ ଦାବି ଉପସ୍ଥାପନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି, ପୂର୍ବତନ ନଗର ସଭାପତି ସୁନାରାମ ସାବତ, ରବିନ୍ଦ୍ର ବୈଠାରୁ, ବୃନ୍ଦାବନ ମହାନ୍ତି, ସୁଶିଳ ମଲ୍ଲ, ନିଳାଞ୍ଚଳ ପାଣିଗ୍ରାହୀ, ହୀନ ବରଡ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.