‘‘ଜାତୀୟ କୃଷକ ଦିବସ’’ ପାଳନ ଅବସରରେ ଜିଲ୍ଲାସ୍ତରୀୟ କୃଷକ ମହାସଭା ଅନୁଷ୍ଠିତ

ବ୍ରହ୍ମପୁର : ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ଜାତୀୟ କୃଷକ ଦିବସ ପାଳନ ଅବସରରେ ଏକ କୃଷକ ମହାସଭା ଆୟୋଜିତ ହୋଇଯାଇଅଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା- ‘‘ଏକ ସୁନିଶ୍ଚିତ କୃଷି ସକାଶେ କୃଷକମାନଙ୍କ ସଶକ୍ତିକରଣ’’। ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭ୍ରାତା ରବିନାରାୟଣ ପଣ୍ଡା ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନର ପ୍ରଚଳିତ ରସାୟନିକ କୃଷି ପଦ୍ଧତି ପରିବର୍ତ୍ତେ ଜୈବିକ ଏବଂ ଯୌଗିକ କୃଷିର ସମ୍ମିଶ୍ରଣ ଦ୍ୱାରା ଉତ୍କୃଷ୍ଟ ଅମଳ ସହ କୃଷକମାନଙ୍କ ଉନ୍ନତି ପୂର୍ବକ ଏକ ସମର୍ଥ ଏବଂ ସଶକ୍ତ ରାଷ୍ଟ୍ରର ନିର୍ମାଣ ନିଶ୍ଚିତ ରୂପେ ହୋଇପାରିବ।

ସମ୍ମାନନୀୟ ଅତିଥି ରୂପେ ରାମଚନ୍ଦ୍ରପୁରସ୍ଥ ବି.ଏସ୍.ଇ.ଟି ନିର୍ଦ୍ଦେଶକ ଭ୍ରାତା ଜି. ଦୀପକ ରାଓ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତରତ୍ନ ଚୌଧୁରୀ ଚରଣ ସିଂ ଜୟନ୍ତୀ ଅବସରରେ ପାଳିତ ଜାତୀୟ କୃଷକ ଦିବସ ସକାଶେ କେନ୍ଦ୍ର ସରକାରଙ୍କ ପି.ଏମ୍.କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ଉଚ୍ଚ ଉତ୍ପାଦନକାରୀ ଏବଂ ଜଳବାୟୁ ଅନୁକୂଳ ଫସଲଜାରୀ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ ଦ୍ୱାରା କୃଷକଙ୍କ ଉତ୍ପାଦନକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିପାରିଛି। ଯାହା ଫଳରେ ପୁରାତନ କୃଷି ପରିବର୍ତ୍ତେ ବର୍ତ୍ତମାନର କୃଷି ପାଲଟିଛି ଆଧୁନିକ ଏବଂ କୃଷକ ହୋଇଛନ୍ତି ସମୃଦ୍ଧ। ବ୍ରହ୍ମାକୁମାରୀସ୍ ବ୍ରହ୍ମପୁର ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ମୁଖ୍ୟବକ୍ତା ରୂପେ ଯୋଗଦେଇ ବର୍ତ୍ତମାନ ସଙ୍ଗମଯୁଗରେ ପରମାତ୍ମପ୍ରଦତ୍ତ ଈଶ୍ୱରୀୟ ଜ୍ଞାନ ଏବଂ ସହଜ ରାଜଯୋଗର ଶିକ୍ଷାଦ୍ୱାରା ପ୍ରକୃତି ସହ ମନୁଷ୍ୟାତ୍ମାଙ୍କର ସତୋଗୁଣ ବୃଦ୍ଧି ସହିତ ଦେଶର ପରିବର୍ତ୍ତନକୁ ତାଳ ଦେଇ ବର୍ତ୍ତମାନର କୃଷିକ୍ଷେତ୍ରରେ ମଧ୍ୟ ପ୍ରଗତି ନିଶ୍ଚିତ ସମ୍ଭବ ହୋଇପାରିବ ବୋଲି କହିଥିଲେ। ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଭ୍ରାତା ଡମ୍ବରୁଧର ସାହୁ ନିଜ ଶୁଭକାମନାରେ କହିଥିଲେ ଯେ କୃଷକଙ୍କ ପାଇଁ ବିହନ ଯୋଗାଣରୁ ବଜାରରେ ବିକ୍ରି ପର୍ଯ୍ୟନ୍ତ ଭାରତ ସରକାରଙ୍କ ନିରନ୍ତର ପ୍ରୟାସ ମାଧ୍ୟମରେ ଏକ ଦୀର୍ଘସ୍ଥାୟୀ ଆୟ ବ୍ୟବସ୍ଥା ଦ୍ୱାରା ଚାଷୀକୁଳଙ୍କ ଭବିଷ୍ୟ ଉଜ୍ଜ୍ୱଳ ହୋଇପାରିଛି। ଆସ୍କା ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରଭାତୀ ସ୍ବାଗତ ଭାଷଣ କାର୍ଯ୍ୟକ୍ରମର ସଂଯୋଜନା ସହ କୃଷକମାନଙ୍କୁ ଭାରତର ଅନ୍ନଦାତା ତଥା ଭାଗ୍ୟବିଧାତା ରୂପେ ସମ୍ବୋଧନ କରିଥିଲେ। ବ୍ରହ୍ମାକୁମାର ଭ୍ରାତା ହୃଷିକେଶ ସମବେତ କୃଷକ ସମାଜକୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଗଞ୍ଜାମ, ଗଜପତି, ନୟାଗଡ଼ ଜିଲ୍ଲାରୁ ଶତାଧିକ କୃଷକ ଉପସ୍ଥିତ ରହି ଲାଭାନ୍ବିତ ହୋଇଥିଲେ।

nis-ad
Leave A Reply

Your email address will not be published.