ଦୁର୍ଦ୍ଦିନରେ ଦରଜୀ ପରିବାର : ନିରବ ଦ୍ରଷ୍ଟା ଲୋକ ପ୍ରତିନିଧି ଓ ଖାଦ୍ୟ ଯୋଗାଣ ଅଧିକାରୀ…

ଉମରକୋଟ /ଝରିଗାଁ : ଆଧୁନିକ ଯୁଗରେ ରେଡିମେଡ ପୋଷାକପତ୍ର ସହର ଠାରୁ ପୁରପଲ୍ଲୀ ସବୁଠି ପହଞ୍ଚି ସାରିଲାଣି। ଲୋକଙ୍କ ପାଖେ ସମୟ ନାହିଁ କପଡ଼ା କିଣି ଦରଜୀ କୁ ଦେଇ ବସ୍ତ୍ର ପରିଧାନ କରିବାକୁ। ବଡ଼ ବଡ଼ ମଲ,ଆକର୍ଷଣୀୟ ବିଳାସମୟ ଦୋକାନ ଠାରୁ ଆରମ୍ଭକରି ରାସ୍ତାକଡ ଫୁଟପାଥ ରେ ରେଡିମେଡ୍ ପୋଷାକ ଦୋକାନ। ସମୟକ୍ରମେ ଦରଜୀ ବୃତ୍ତି ଉପରେ ଗଭୀର ପ୍ରଭାବ ପଡିଛି। ପୂର୍ବଭଳି ଲୋକଙ୍କ ଆଗ୍ରହ ଦରଜୀ ବୃତ୍ତି ଉପରେ ସେତେଟା ଦେଖିବାକୁ ମିଳୁନାହିଁ। ରେଡ଼ିମେଡ୍ ବଜାରର ବ୍ୟାପକ ଚାହିଦା ଗାଉଁଲି ଗାଁ ରେ ଏହି ବୃତ୍ତିକୁ ନେଇ ବଞ୍ଚୁଥିବା ପରିବାର ବଡ଼ ମାନସିକ ପୀଡା ରେ ଦିନ କାଳତିପାତ କରୁଛନ୍ତି । ଦୈନନ୍ଦିନ କାମ ମିଳୁଛି ବଳୁଥିବା ବେଳେ ଏବେ ସେ ସ୍ଥିତି ଆଉ ନାହିଁ,ଯାହା ଫଳରେ ଅନେକ ପରିବାର ଏହି ବୃତ୍ତିରୁ ନିବୃତ ହୋଇଥିବା ବେଳେ, ଭୂମିହୀନ ଗରିବ ବୁଦ୍ଦୁ ହରିଜନ (୪୫) ଏହି ବୃତ୍ତିକୁ ବଞ୍ଚିବାର ଏକ ହିଁ ବିକଳ୍ପ ଭାବେ ଦୀର୍ଘ ବର୍ଷ ଧରି ନିର୍ଭର କରି ଆସୁଛନ୍ତି। ବୁଦୁ ଙ୍କ ପରିବାର କହିଲେ ସ୍ତ୍ରୀ ଭୋଗନ୍ତି (୩୯) ୬ ଟି ସନ୍ତାନ ସନ୍ତତି। ନିଜ ପେଟ ସହ ସାତ ପ୍ରାଣୀଙ୍କ ପେଟ ଚିନ୍ତା ବୁଦ୍ଦୁ ଉପରେ ଦୁଃଖର ସହିତ ବର୍ଣ୍ଣଣା କରିଛନ୍ତି।
ସୂଚନା ପ୍ରକାରେ,ଝରିଗାଁ ବ୍ଲକ ସଦର ଜୟନ୍ତୀ ନଗରରେ ୧୦ ବର୍ଷ ତଳେ ମିଳିଥିବା ଦୁଇ ଛୋଟ ବଖରା ବିଶିଷ୍ଟ ଇନ୍ଦିରା ଆବାସ ଘରେ ଗେଞ୍ଜାପେଲା ହୋଇ ରହୁଛନ୍ତି ପରିବାର। ବଡ଼ ଝିଅ ଯମୁନା (୨୨) ବାହା ହୋଇ ଘର ସଂସାର କରିଥିବା ବେଳେ ଗୋଟିଏ ପୁଅ ଦେବେନ୍ଦ୍ର (୨୦),ବାସନ୍ତୀ (୧୬),ନନ୍ଦିନୀ (୧୨),ଗୌରୀ (୧୪) ଓ ସାନ ଝିଅ ଧନମତି (୯) ବର୍ଷ,ଗରିବ ହୋଇ କାହିଁକି ୬ ଟି ସନ୍ତାନ ସନ୍ତତି ଜନ୍ମ କଲେ ଏହାର ଉତ୍ତର ରେ ସ୍ଵାମୀ ସ୍ତ୍ରୀ ଆଉ ଗୋଟିଏ ପୁତ୍ର ସନ୍ତାନ ଆଶାରେ ୬ ଜଣ ସନ୍ତାନ ପାଇଥିବା କହିଛନ୍ତି ଦଂପତିଦ୍ବୟ ।


ଦିନଥିଲା ଏହି ଦରଜୀ ବୃତ୍ତିରେ ଦୈନିକ ପାଞ୍ଚ ଶହ ଟଙ୍କାରୁ ବାରଶହ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇପାରୁଥିଲା। ଲୋକେ କପଡ଼ା ଧରି ଦରଜୀ ପାଖକୁ ଆସୁଥିଲେ ଏବେ କିନ୍ତୁ ଏହାର ବିପରୀତ ପରିସ୍ଥିତି। ଦୁଆର ଦୁଆର ବୁଲି ପଚାରିବାକୁ ପଡୁଛି ଲୋକଙ୍କୁ,କିଏ ଚିରା ଫଟା ପୋଷାକ ନେଇ ମରାମତି କରିବାକୁ ଆସୁଛନ୍ତି ତ କେହି କନ୍ଥା, ଦରି ମୁଣା,ତକିଆ ଖଳ ସିଲାଇବାକୁ କହୁଛନ୍ତି। ନୂଆଁ ସିଲେଇ ପୋଷାକ ଅତି ଅଳ୍ପ ମାତ୍ରାରେ ଆସୁଛି। ଭୋର ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ବାସୀ ଖାଦ୍ୟ କି ଚା ମୁଢି କିଛି ଖାଇ ସାଇକେଲ୍ ରେ ସିଲାଇ ମେସିନ ବାନ୍ଧି ସଞ୍ଜ ନଇଁବା ମଧ୍ୟରେ ପାଞ୍ଚଖଣ୍ଡ ଗାଁ ବୁଲି ଘରକୁ ଫେରନ୍ତି ବୁଦ୍ଦୁ। କେଉଁ ଦିନ ଦୁଇଶହ ମିଳେ ତ ଆଉ କେଉଁ ଦିନ ତିନିଶହ କିଛି ନିଶ୍ଚୟତତା ନଥାଏ ଯେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ରୋଜଗାର କରିହେବ। ଦିନକର ତେଲ ଲୁଣ ସଂସାର ପାଇଁ ମାଇଲ ମାଇଲ ବାଟ ସାଇକେଲରେ ଯିବାକୁ ପଡ଼େ ବୁଦ୍ଦୁଙ୍କୁ ନିଜ ଯୁବା ଅବସ୍ଥାରେ ଏହି ବୃତ୍ତିକୁ ଆପଣେଇ ବେଶ ଦୁଇ ପଇସା ରୋଜଗାର କରି ସୁଖରେ ପରିବାର ପ୍ରତିପୋଷଣ କରୁଥିଲେ, ସମୟ ସୁଅରେ ଦରଜୀ ବୃତ୍ତି କରି ସ୍ୱଚ୍ଛଳ ଜୀବନ କାଟିବା କାଠିକର ପାଠ ବୋଲି କହିଛନ୍ତି ଦରଜୀ ବୁଦ୍ଦୁ। ବର୍ତ୍ତମାନ ଏହି ବୃତ୍ତିରେ ଯାହା ରୋଜଗାର ହୁଏ ସେଇଥିରେ ଏକ ସୁସ୍ଥ ସୁଖୀ ପରିବାର କଳ୍ପନା କରିବା ବୃଥା। ଖାଲି ଆଜି ପାଇଁ ଆଜି ବଞ୍ଚିବା କାଲି ହେଲେ କାଲି କଥା ଚିନ୍ତା କରିବା ବ୍ୟତୀତ ଅନ୍ୟ କୌଣସି ରାହା ନାହିଁ ବୋଲି ଅତିରୁ ଅତି ଦୁଃଖ ବେଦନାରେ କହିଛନ୍ତି ବୁଦ୍ଦୁ। ସ୍ତ୍ରୀ ଭୋଗନ୍ତି ଓ ବଡ଼ ଝିଅ ମୂଲ ଲାଗିବାକୁ ପର ଘରେ ଯାଆନ୍ତି ଯାହା ମଜୁରୀ ଆସେ ସେଇଥିରେ ଘର ଚଳିବାରେ ଖର୍ଚ୍ଚ ହୋଇଥାଏ। ସର୍ବଦା ମଜୁରୀ କରି ଆଣିବା ପୁଣି ସଞ୍ଚୟ କରିବା ଅସମ୍ଭବ ହେଉଛି ଏମାନଙ୍କ ପାଇଁ, ଦିନକୁ ଦିନ ଅଭାବରେ ହିଁ ଚାଲିଛି ଏମାନଙ୍କ ଘର ସଂସାର। ରାସନ୍ କାର୍ଡ ରେ ପରିବାର ସମସ୍ତଙ୍କୁ ମିଳୁଥିଲା ୫ କିଲୋ ଚାଉଳ ହେଲେ ଆଜିକୁ ପ୍ରାୟ ବୁଦ୍ଦୁ ଙ୍କ କହିବା ପ୍ରକାରେ ୪ ବର୍ଷ ହେବ ଝିଅ ଗୌରୀ, ନନ୍ଦିନୀ ଓ ଧନମତି ଙ୍କୁ ମିଳୁନାହିଁ ଚାଉଳ, ପୂର୍ବରୁ ମିଳୁଥିଲା ଚାଉଳ। ଏବେ ତିନି ଜଣ ଝିଅର ଚାଉଳ ମିଳୁ ନ ଥିବାରୁ ତିନି ଜଣଙ୍କର ଦୁଇ ବେଳା ଭାତ ମୁଠେ ପାଇଁ ଅତିରିକ୍ତ ବୋଝ ହେଉଥିବା କହିଛନ୍ତି ସ୍ତ୍ରୀ ଭୋଗନ୍ତି ହରିଜନ। ଚାଉଳ ନ ମିଳିବା ସମସ୍ୟା ନେଇ ବୁଦ୍ଦୁ ଅନେକ ଥର ଆଧାର କାର୍ଡ ରାସନ କାର୍ଡ ନେଇ ପଞ୍ଚାୟତ ପ୍ରଶାସନ ନିକଟରେ ଦୌଡ଼ୁ ଦୌଡୁ ଗୋଡ଼ର ଜୁତା ଛିଣ୍ଡି ଗଲାଣି ଜୁତା କିଣିବାକୁ ଅସମର୍ଥ । ଆଜି ଯାଏ ବୁଦ୍ଦୁ ବୁଝି ପାରିଲେନି କେଉଁଠି ତ୍ରୁଟି ରହିଲା ଯେ ତିନି ଝିଅଙ୍କ ମିଳୁଥିବା ଚାଉଳ ବର୍ଷ ବର୍ଷ ଧରି କାହିଁକି ମିଳୁ ନାହିଁ।ଏହି ପ୍ରସଙ୍ଗରେ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କୁ ପଚାରିବାରୁ ଏହାର ତୁରନ୍ତ ସମାଧାନ କରାଯାଇ ଚାଉଳ ମିଳିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏବଂ ଆଧାର ଆପଟୁଡେଡ଼ ବା ବାୟୋମେଟ୍ରିକ ପୁନଃ ସଂଶୋଧନ ଓ ପଞ୍ଜୀକୃତ କରିବା ପରେ ଚାଉଳ ପାଇବେ ବୋଲି ସରପଞ୍ଚ ପ୍ରତିଶୃତି ଦେଇ କହିଛନ୍ତି ।

nis-ad
Leave A Reply

Your email address will not be published.