ମା’ ମହୁରୀକାଳୁଆ ଯାତ୍ରା ଉଦଯାପିତ

୮ ଦଳର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଗାଁ ଦାଣ୍ଡ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମା’ ମହୁରୀ କାଳୁଆଙ୍କ ଯାତ୍ରାତ୍ସେବ ବୁଧବାର ଉଦଯାପିତ ହୋଇଯାଇଛି । ବାଦ୍ୟବାଜଣା ଓ ଭକ୍ତି ନୈବେଦ୍ୟରେ ମା’ଙ୍କୁ ମେଲାଣି ଦିଆଯାଇଛି । ପ୍ରଥମ ଦିବସ ୬ ତାରିଖ ବୁଧବାର ମା’ଙ୍କୁ ଅବାହନ ପରେ ପ୍ରତି ସନ୍ଧ୍ୟାରେ ବାଜବାଜଣା, ଘଣ୍ଟ, କାହାଳୀ ସହକାରେ ମା’ଙ୍କୁ ଗ୍ରାମ ପରିକ୍ରମା କରାଯାଉଥିଲା । ଗ୍ରାମବାସୀ ସେମାନଙ୍କ ନୈବେଦ୍ୟ ଅର୍ପଣ କରିଥିଲେ । ଯାତ୍ରାର ଦ୍ୱିତୀୟ ଦିବସରେ ଅଧିବାସ ସକାଶେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା କରିଥିଲେ ।ଯାତ୍ରାତ୍ସୋବ ସକାଶେ ଗ୍ରାମକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ସନ୍ଧ୍ୟାରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ ପୂର୍ବକ ମା’ଙ୍କୁ ସ୍ୱାଗତ କରାଯାଇଥିଲା । ବିଭିନ୍ନ ବାଦ୍ୟ ବାଜଣା, ଘଣ୍ଟ, କାହାଳୀର ତାଳେ ତାଳେ ମା’ ମହୁରୀକାଳୁଆଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ୮ ତାରିଖରେ ଅଧିବାସ ଓ ନାମଯଜ୍ଞ ଆରମ୍ଭ, ୧୧ ତାରିଖରେ ନାମଯଜ୍ଞ ପୁର୍ଣ୍ଣାହୁତି, ଅନ୍ନଯଜ୍ଞ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦାନ କରି ପ୍ରସାଦ ସେବନ ସହ ପ୍ରଭୁକୃପା ଲାଭ କରିଥିଲେ । ୧୨ ତାରିଖରେ ଘୃତଯଜ୍ଞ ପୁର୍ଣ୍ଣାହୁତି ହୋଇଥିଲା। ମଙ୍ଗଳବାର ଗ୍ରାମର ବିଭିନ୍ନ ସାହି ବସ୍ତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବୁଧବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିଥିଲା । ମହାଭାରତ,ପାଲା ଗାହାଣୀ, ଭାରତଲୀଳା ଭଳି ୮ ନାଟକ ଦଳ ପକ୍ଷରୁ ନାଟକ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ଜନସାଧାରଣଙ୍କ ସୁଅ ଛୁଟିଥିଲା । ଯାତ୍ରାକୁ ଆଖି ଆଗରେ ରଖି ଗ୍ରାମର ବିଭିନ୍ନ ସାହି ବସ୍ତିରେ ବିଭିନ୍ନ ରକମର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ବୁଧବାର ମଧ୍ୟାନ୍ନରେ ମା’ ମହୁରୀକାଳୁଆଙ୍କୁ ନଗର ପରିକ୍ରମା ପରେ ଅବିର ଖେଳ ସହ ମେଲାଣି ଦିଆଯାଇଥିଲା । ଯାତ୍ରା ପରିଚାଳନା କମିଟି ସଭାପତି ନିଳମଣି ପଟ୍ଟନାୟକ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପ୍ୟାରୀ ମୋହନ ପାଢି, ଯାତ୍ରା କାର୍ଯ୍ୟକାରୀ ସଭାପତି ସନାତନ ନାହାକ, ପୂଜା କମିଟି ସଭାପତି ଯୋଗିନ୍ଦ୍ର ବେହେରା, ସମ୍ପାଦକ ଲକ୍ଷ୍ମଣ ରାଉତ, ଅରକ୍ଷିତ ବାଡତ୍ୟା, କାଉନସିଲର ଶ୍ୟାମଘନ ବେହେରା, ସନାତନ ନାହାକ, ଯୁଧିଷ୍ଟିର ସ୍ୱାଇଁ, ସଞ୍ଜୟ ସ୍ବାଇଁ, ଦୁର୍ଯ୍ୟୋଧନ ମୁନି, ସହଦେବ ସ୍ବାଇଁ, କିରଣ ନାହାକ, ସନ୍ତୋଷ ମହାରଣା, ବିଜୟ ନାହାକ, ସିତାରାମ ବେହେରା, ପିଣ୍ଟୁ ନାହାକ, ଦିଲ୍ଲିପ ସାମନ୍ତରା, ଅକ୍ଷୟ ପଟ୍ଟନାୟକ, କପି ନାହାକଙ୍କ ସମେତ ଗ୍ରାମ୍ୟ କମିଟି, ପୂଜା କମିଟି, ଯାତ୍ରା ପରିଚାଳନା କମିଟି କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତ ମା’ଙ୍କୁ ମେଲାଣି ଦେଇଥିଲେ ।ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗ୍ରାମରେ ସ୍ଵଛତା ପ୍ରତି ସ୍ବତନ୍ତ୍ର ଗୁରୁତ୍ଵ ପ୍ରଦାନ କରାଯାଇଥିଲା ଏବଂ ଓ୍ବାଟୋକ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ଓ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସଂପୃକ୍ତ ଗ୍ରାମରେ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସକାଶେ ଓ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

nis-ad
Leave A Reply

Your email address will not be published.