ମୁଖ୍ୟମନ୍ତ୍ରୀ ଆସି ଘଟଣା ସମ୍ପର୍କରେ ବୁଝିବା ଦରକାର, ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ : ବିଜୟ ମହାପାତ୍ର   

ଫୁଲବାଣୀ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ଏବେ ବିଭିନ୍ନ ରାଜନୈତିକ ଦଳ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ହେଲେ ମୃତକଙ୍କ ପରିବାରକୁ ଏବଂ ଅସୁସ୍ଥ ଥିବା ପରିବାରକୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରିଥିବା କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ସହାୟତା ଘୋଷଣା ଏ ପର୍ଯ୍ୟନ୍ତ କରାଯାଇନାହିଁ l  କେବଳ ରେଡକ୍ରସ୍ ପକ୍ଷରୁ ଯାହା ସହାୟତା ପ୍ରଦାନ କରାଯାଇଛି l  ପୂର୍ବରୁ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଆସି ଫେରିଛନ୍ତି। ଆଜି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ମାଣ୍ଡିପଙ୍କାରେ ପହଞ୍ଚି ମୃତକଙ୍କ ପରିବାର ସହଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ଗାଁରେ ରହିଥ‌ିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଫେରି ଆସି ଫୁଲବାଣୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ମାଣ୍ଡିପଙ୍କା ଗ୍ରାମରେ ଘଟିଥ‌ିବା ଘଟଣା ଦୁଃର୍ଭାଗ୍ୟଜନକ । ଚାଉଳ ମିଳିବାରେ ବିଳମ୍ବ ଯୋଗୁଁ ଲୋକଙ୍କ ପାଖରେ ଥିବା ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଥିବା ଯୋଗୁଁ ଏହିଭଳି ଘଟଣା ଘଟିଛି ବୋଲି  କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସି ଘଟଣା ସମ୍ପର୍କରେ ବୁଝିବା ଦରକାର । କାଶୀପୁର ଘଟଣାରେ ସରକାର ରିଲିଫ୍ ବ୍ୟବସ୍ଥା ପାଇଁ ଯେପରି କ୍ୟାମ୍ପ କରିଥିଲେ ସେହିପରି ମାଣ୍ଡିପଙ୍କା ରେ ଜରୁରୀ ବୋଲି କହିଛନ୍ତି ବିଜୟ। ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା କରିବାକୁ କହିଥିଲେ। ଗାଁରେ ୩ ଶହରୁ ଊର୍ଦ୍ଧ୍ବ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ସେମାନଙ୍କ ଦୁଃଖ ବୁଝିବା ଦରକାର।  ଲୋକଙ୍କ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ଚାଉଳ ବଣ୍ଟନ ପ୍ରକ୍ରିୟାର ପୁନଃ ବିଚାର କରି ୩ ମାସ ବଦଳରେ ପ୍ରତି ମାସରେ ଚାଉଳ ଦେବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।  ସାମ୍ବାଦିକ ସମ୍ମିଳନୀରେ ଆଇନଜିବି ସତ୍ୟ ନାରାୟଣ ବେହେରା, ଜଳନ୍ଧର ବେହେରା ପ୍ରମୂଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.