ଚୋରୀ କରି ଗୋଚାଲାଣ ବେଳେ ମାଡିବସିଲା ପୁଲିସ : ୧୪ ଗାଈ ଉଦ୍ଧାର, ପିକ୍‌ଅପ୍ ଭ୍ୟାନ ଜବତ, ୨ ଗିରଫ


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମଞ୍ଚଳରୁ ଗାଇ ଓ ବାଛୁରୀକୁ ଚୋରୀ କରି ଗୋମାଂସ ସକାଶେ ହାଇଦ୍ରାବାଦ ଅଞ୍ଚଳକୁ ରପ୍ତାନି କରୁଥିବା ବେଳେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ନିକଟରେ ମାଡିବସିଛି ହିଞ୍ଜିଳି ପୁଲିସ । ୧୪ଟି ଗାଇ ଓ ବାଛୁରୀକୁ ଉଦ୍ଧାର କରିବା ସହ ଗୋଚାଲାଣରେ ବ୍ୟବହୃତ ପିକ୍‌ଅପ୍ ଭ୍ୟାନ (ଏପି୩୯ୟୁଏସ ୭୧୧୯)କୁ ଜବତ କରିବା ସହ ଚୋରୀ ଓ ଗୋଚାଲାଣ ଅଭିଯୋଗରେ ହିଞ୍ଜିଳି ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଗାଡିଚାଳକ ଆନ୍ଧ୍ରପ୍ରଦେଶ ରାଜ୍ୟ ଶିକାକୁଲମ ଜିଲ୍ଲା ନରସେନାପଟ ଗ୍ରାମର ଏସ. ସନ୍ତୋଷ (୩୦) ଓ ସହଯୋଗୀ ଆନ୍ଧ୍ରପ୍ରଦେଶ ରାଜ୍ୟ ଶିକାକୁଲମ ଜିଲ୍ଲା ଜାଲାମୁରୁ ଥାନା ଡୁବୁଗାଁର ସିଏଚ୍‌. ଆନନ୍ଦ(୪୬) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୧୬/୨୪ରେ ଏକ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ମନୋଜ କୁମାର ସେନାପତିଙ୍କ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ବୁଧବାର ଭୋରରେ ହିଞ୍ଜିଳି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଆରଏସଏସର କିଛି ଯୁବକ ମାନଙ୍କ ଠାରୁ ହିଞ୍ଜିଳି ଥାନା ରାଳବ ଗ୍ରାମ ନିକଟରେ ଗୋଚାଲାଣ ହେଉଥିବା ନେଇ ଖବର ପାଇଥିଲା । ଖବର ପାଇ ପୁଲିସ ଟିମ୍ ଚଢାଉ ପାଇଁ ଉଦ୍ୟମ କରିଥିଲା । ପୁଲିସ ଗାଡିକୁ ଦେଖି ଗୋଚାଲାଣକାରୀ ଗାଡି ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ପୁଲିସ ବାହିନୀ ଗୋଚାଲାଣ ହେଉଥିବା ପିକ୍‌ଅପ୍ ଭ୍ୟାନର ପିଛା କରି ଶାସନଆମ୍ବଗାଁ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଅଞ୍ଚଳରେ କାବୁ କରିବାକୁ ସକ୍ଷମ ହୋଇଥିଲା । କାବୁ କରିବା ସୟମରେ ପିକ୍‌ଅପ୍ ଭ୍ୟାନରେ ୧୪ଟି ଗାଇ ଓ ବାଛୁରୀକୁ ଅମାନୁଷିକ ଭାବେ ରଖା ଯାଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଗୋଚାଲାଣ ଭ୍ୟାନକୁ ଥାନାକୁ ଆଣିବା ସହ ଗାଡି ଚାଳକ ଓ ସହଯୋଗୀଙ୍କୁ ଗିରଫ କରିଥିଲା । ଗିରଫ ଦ୍ୱୟ ଗତ କିଛି ମାସର ବ୍ୟବଧାନରେ ବିଭିନ୍ନ ଅଞ୍ଚଳକୁ ଯାଇ ଗାଇ ଓ ବାଛୁରୀକୁ ଚୋରୀ କରି ସୁଦୂର ହାଇଦ୍ରାବାଦ ଅଞ୍ଚଳକୁ ଗୋମାଂସ ସକାଶେ ରପ୍ତାନି କରୁଥିବା ନେଇ ପୁଲିସ ନିକଟରେ ସ୍ୱୀକାର କରିଥିବା ପୁଲିସ କହିଛି । ପ୍ରକାଶ ଥାଉକି, ଏକଦା ହିଞ୍ଜିଳିକାଟୁରେ ପ୍ରତି ଶନିବାର ଦିନ ଅନୁଷ୍ଠିତ ହେଉଥିବା ସାପ୍ତାହିକ ହାଟ ଗୋରୁ ହାଟ ସକାଶେ ଖ୍ୟାତି ଅର୍ଜନ କରିଥିଲା । ଚାଷୀ ମାନେ ଗାଇ ଗୋରୁ ଗୁଡିକୁ କିଣାବିକା କରିବା ପରେ ରୁଗୁଣ ଓ ଦୁର୍ବଳ ଗାଇ ଗୋରୁ ଗୁଡିକୁ କଂସେଇ ହାତରେ ଟେକି ଦେଉଥିବା ଦେଖିବାକୁ ମିଳିଥିଲା । ଗୋ-ଦଲାଲ ମାନେ ସଂପୃକ୍ତ ଗାଇଗୋରୁ ଗୁଡିକୁ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ରପ୍ତାନି କରୁଥିବା ଜଣାପଡିଥିଲା । ପୁଲିସ ପ୍ରଶାସନର ପଦକ୍ଷେପ ଗ୍ରହଣ ସହ ନିୟନ୍ତ୍ରିତ ବଜାର ପରିସରରେ ଉପଖଣ୍ଡ ଚିକିତ୍‌ସାଳୟ ନିର୍ମାଣ ପରେ ସ୍ଥାନୀୟ ଅଞ୍ଚଳରୁ ଗୋରୁହାଟ ସମ୍ପୁର୍ଣ୍ଣ ଉଚ୍ଛେଦ ହୋଇ ଯାଇଥିଲା ।

nis-ad
Leave A Reply

Your email address will not be published.