ସ୍ବାଭିମାନ ଅଞ୍ଚଳର ୫ ପଞ୍ଚାୟତ ଚାଷ ପାଇଁ ପାଣି ଏବଂ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ :ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ବାଢିଲେ…

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଗତକାଲି ସ୍ବାଭିମାନ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ।ଏହି ସମୟରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ୫ ପଞ୍ଚାୟତରେ ଚାଷ ପାଇଁ ପାଣି ପହଁଞ୍ଚି ପାରୁନଥିବା ଏବଂ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ ହେଉଥିବା ନେଇ ଜିଲ୍ଲାପାଳ ଶ୍ରୀପାଟିଲଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ୫ ପଞ୍ଚାୟତ ଗ୍ରାମବାସୀ।ସୂଚନାନୁଯାୟୀ ଚିତ୍ରକୋଣ୍ଡା ଠାରେ ବାଲିମେଳା ଡ଼୍ୟାମ ନିର୍ମାଣ କରାଯାଇ ବିଦ୍ୟୁତ ଉତ୍ପାଦନ ହେଉଛି ସତ ହେଲେ ଦୀପ ତଳ ଅନ୍ଧାର ଭଳି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ବିଦ୍ୟୁତ ଯୋଗାଣରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଚିତ୍ରକୋଣ୍ଡା ଠାରେ ଏତେ ବଡ଼ ଜଳଭଣ୍ଡାର ରହିଥିବା ବେଳେ ଆମେ ଚାଷ କରିବାକୁ ଟୋପାଏ ପାଣି ମଧ୍ୟ ପାରୁନାହୁଁ। ସେହିପରି ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ ବିକ୍ରି କରାଯାଉଛି ହେଲେ ଆମେ ବିଦ୍ୟୁତ ଯୋଗାଣରୁ ବଞ୍ଚିତ ରହୁଛୁ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସ୍ବାଭିମାନ ଅଞ୍ଚଳର ପଣସପୁଟ , ଅଣ୍ଡ୍ରାପାଲି , ଯନ୍ତ୍ରୀ , ଯୋଡାଆମ୍ବ , ଗାଜଲମାମୁଡି ପଞ୍ଚାୟତ ବାସୀ। ତେବେ ଯଦି ଆଗାମୀ ୭ ଦିନ ମଧ୍ୟରେ ଆମର ଦାବି ପୁରଣ କରା ନଯାଏ ତେବେ ଆମେ ଆଇନକୁ ହାତକୁ ନେବା ପାଇଁ ବାଧ୍ୟ ହେବୁ ଏବଂ ରାଜ ରାସ୍ତାରେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ୫ ପଞ୍ଚାୟତ ବାସୀ। ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସମୟରେ ୫ ଟି ପଞ୍ଚାୟତର ବହୁ ସଂଖ୍ୟାରେ ଅଞ୍ଚଳବାସୀଙ୍କ ସମେତ ପଣସପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ , ସମିତି ସଭ୍ୟ ଇରାବତି ପାଙ୍ଗି , ଯନ୍ତ୍ରୀ ସମିତି ସଭ୍ୟ ସାଧବ ଗୋଲରି , ସରପଞ୍ଚ ଦମାଇ ଗୋଲରି , ଅଣ୍ଡ୍ରାପାଲି ସରପଞ୍ଚ ପରିମା ଶିଶା , ସମିତି ସଭ୍ୟ ଜଗନ୍ନାଥ ମୁଦୁଲି , ଯୋଡାଆମ୍ବ ସରପଞ୍ଚ ପିଙ୍କି ହନ୍ତାଳ , ସମିତି ସଭ୍ୟ ସୋମନାଥ ବଡନାୟକ , ସରପଞ୍ଚ ବଳରାମ ଗୋଲରି ଏବଂ ଶ୍ୟାମସୁନ୍ଦର ଖରା ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.