ବନ୍ଦ ହେବାକୁ ବସିଲାଣି ଗୋରୁ ଗୋଠ ଆଉ ଦେଖିବାକୁ ମିଳୁନି “ଗୁହାଳ “


ଉମରକୋଟ /ଝରିଗାଁ (୨୦/୧୦/୨୦୨୪)-ନବରଙ୍ଗପୁର ଜିଲ୍ଲା ଜଙ୍ଗଲ ବେଷ୍ଟିତ ଝରିଗାଁ ବ୍ଲକରେ ଏମିତି ଦିନ ଥିଲା ଲୋକ ମାନେ ବିଭିନ୍ନ ପର୍ବ ପର୍ବାଣିରେ ଆବଶ୍ୟକ ହେଉଥିବା କ୍ଷୀର,ଦହି ଓ ଘିଅ ପାଇଁ ଅଡ଼ାର ଉପରେ ନିର୍ଭର କରୁଥିଲେ କିନ୍ତୁ ବର୍ତ୍ତମାନ ବଜାରରେ ଅପମିଶ୍ରିତ କ୍ଷୀର,ଦହି ଓ ଘିଅ ମିଳୁଥିବା ବେଳେ ଲୋକମାନେ ଆଉ ପାଉନାହାନ୍ତି ଦେଶୀ ସାମଗ୍ରୀ ମୁହଁ । ଧିରେ ଧିରେ ଝରିଗାଁ ବ୍ଲକରେ ଗାଇଗୋରୁ ସହ ଗୁହାଳ ଗୁଡିକ(ଯେଉଁଠି କ୍ଷୀର ଜାତୀୟ ଜିନିଷ ଉତ୍ପାଦନ ହୁଏ) ଲୋପ ପାଇବାକୁ ବସିଲାଣି ବୋଲି ଗାଈ ଗୋରୁ ରଖିଥିବା ଲୋକ ମାନେ ପ୍ରକାଶ କରିଛନ୍ତି। ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଜଙ୍ଗଲ ଭିତରେ କିଛି ଗୋ ପାଳକଙ୍କ ଗାଇ ମାନଙ୍କୁ ନେଇ ଗୁହାଳ କରି ରଖୁ ଥିଲେ ଏବଂ ସେଠାରେ ଶହ ଶହ ଗାଇ ମାନଙ୍କ ଖାଇବା ପାଇଁ ଘାସ ସହ ଗୋ ଖାଦ୍ୟ ସଂଗ୍ରହ କରି ଦିଆଯାଉଥିଲା,ସେହିପରି ଗାଇ ମାନଙ୍କ ରହିବା ପାଇଁ ମଧ୍ୟ ଅସ୍ଥାୟୀ ଗୃହ ନିର୍ମାଣ କରି ତାହାର ରକ୍ଷଣା ବକ୍ଷଣ ହେଉଥିଲା। ଯେଉଁ ଲୋକ ମାନେ ଗାଇ ଗୁଡିକର ସେବା ସହ କ୍ଷୀର କାଡିବା ଦାଇତ୍ୱ ନେଉଥିଲେ ସେମାନଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଥିଲା।ପ୍ରତ୍ୟେକ ଦିନ ଶହ ଶହ ଲିଟର କ୍ଷୀର ଉତ୍ପାଦନ କରି ସେହି କ୍ଷୀରକୁ ବଜାର ଘାଟ ଓ ଲୋକ ମାନଙ୍କୁ ବିକ୍ରି କରା ଯାଉଥିଲା।ବଳକା ରହି ଯିବା କ୍ଷୀରରୁ ଦହି,ଲହୁଣୀ ଏବଂ ଶୁଦ୍ଧ ଘିଅ ତିଆରି କରି ଲୋକ ମାନକୁ ସଠିକ ମୂଲ୍ୟରେ ବିକ୍ରି କରୁଥିଲେ ଏବଂ ଦୁଇ ପଇସା ଭଲ ରୋଜଗାର ଗାଈ ରଖୁ ଥିବା ମାଲିକ ପାଉଥିଲେ । ଲୋକ ମାନେ ମଧ୍ୟ ଭଲ ଓ ଶୁଦ୍ଧ କ୍ଷୀର,ଦହି,ଲହୁଣୀ ଏବଂ ଘିଅ ନେଇ ନିଜେ ବ୍ୟବହାର କରିବା ସହ ପୂଜାପାଠ ସମୟରେ ମଧ୍ୟ ବ୍ୟବହାର କରୁଥିଲେ।ସେହିପରି ଚାଷ ପାଇଁ ଗାଇ, ଗରୁ ଗୋବରରେ ତିଆରି ହୋଇଥିବା ଗୋବର ଖତର ଚାହିଦା ମଧ୍ୟ ଚାଷୀ ମହଳରେ ଅଧିକ ରହୁଁଥିଲା। ବର୍ତ୍ତମାନ ଚାଷୀ ମାନେ ସଚେତନତା ଅଭାବ ଯୋଗୁଁ ରାସାୟନିକ ସାର ପ୍ରୟୋଗ କରିବା ଯୋଗୁଁ ନିଜ ନିଜ ଜମିର ଉର୍ବରତା ଧୀରେ ଧୀରେ କମି କମି ଯିବା ସହ ଅମଳ ମଧ୍ୟ କମି ଯାଉଛି।ଲୋକମାନେ ମଧ୍ୟ ବଜାରରେ ଉପଲବ୍ଧ ଥିବା ଅପମିଶ୍ରିତ ଦହି,କ୍ଷୀର ଓ ଘିଅ ଉପରେ ଆଗ୍ରହ ପ୍ରକାଶ କରୁଛନ୍ତି।ଧିରେ ଧିରେ ଗୁହାଳ ରେ ତିଆରି ହେଉଥିବା କ୍ଷୀର ଜାତୀୟ ଜିନିଷର ଚାହିଦା କମି ଯିବା ପରେ ମାଲିକ ମାନେ ଗାଇ ପାଳନ କରିବା ମଧ୍ୟ ଧିରେ ଧିରେ କମାଇ ଦେଉଛନ୍ତି, ଫଳରେ ଝରିଗାଁ ବ୍ଲକରେ ଗୁହାଳ ସହିତ ଗାଇଗୋରୁ ମଧ୍ୟ ଲୋପ ପାଇବାକୁ ବସିଲାଣି।କେବଳ ଉପାନ୍ତ ଚକଲାପଦର ପଞ୍ଚାୟତର କିଛି ଜଙ୍ଗଲରେ ଗୁହାଳ ରହିଥିବା ଦେଖିବାକୁ ମିଳିଛି ଏବଂ ଜଙ୍ଗଲ ଭିତରେ ଗୁହାଳ ରହୁଥିବା ଯୋଗୁଁ ହିଂସ୍ର ଜନ୍ତୁଙ୍କ ଭୟ ରହୁଥିବା ବେଳେ ବେଳେ ଜଙ୍ଗଲୀ ଜନ୍ତୁ ଛୋଟ ଛୋଟ ବାଛୁରୀ ଏବଂ ଛେଳି ମେଣ୍ଡା ମାନଙ୍କୁ ଟାଣି ନେଇ ଯାଉଥିବା ଗୁହାଳ ରଖିଥିବା ଲୋକ ମାନେ ମତ ପ୍ରକାଶ କରିଛନ୍ତି ।ସେହିପରି ଗାଇ ବାଛୁରୀ ଓ ଛେଳି ମେଣ୍ଡା କୌଣସି କାରଣରୁ ଅସୁସ୍ଥ ହେଲେ କେବଳ ଦେଶୀ ଔଷଧ ଉପରେ ଜଙ୍ଗଳରେ ରହୁଥିବା ବାସିନ୍ଦା ମାନେ ନିର୍ଭର କରନ୍ତି। ପଶୁ ଚିକିତ୍ସାଳୟ ମଧ୍ୟ ବ୍ୟବସ୍ଥା ନଥିବା ଯୋଗୁଁ ଗୃହ ପାଳିତ ପଶୁ କୌଣସି ସୁଭିଧା ପାଇଁ ପାରୁନାହାନ୍ତି l ପ୍ରଶାସନ ପକ୍ଷରୁ ଗୃହ ପାଳିତ ପଶୁ ମାନଙ୍କ ଚିକିତ୍ସା,ଗୋ ପାଳନ ସହ କ୍ଷୀର ଜାତୀୟ ଜିନିଷର ବିକ୍ରି ପାଇଁ କୌଣସି ପଦକ୍ଷେପ ଗ୍ରହଣ କଲେ ଗାଇଗୋରୁ ଓ ଗୁହାଳ ଗୁଡିକ ଲୋପ ପାଇବାରୁ ବଞ୍ଚିତ ହୋଇ ନଥାନ୍ତା ବୋଲି ଝରୀଗାଁ ବ୍ଲକର ସାଧାରଣରେ ଆଲୋଚନା ହେଉଛି l

nis-ad
Leave A Reply

Your email address will not be published.