ଚିକିଟି ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ କ୍ଷତିପୂରଣ ଦାବୀକଲା ଫରୱାର୍ଡ ବ୍ଲକ

ଚିକିଟି : ଚିକିଟି ଅଞ୍ଚଳର ଜେନାପୁର ଓ କରବାଲୁଆ ରେ ବିଷାକ୍ତ ମଦ୍ୟପାନ ଜନିତ ୫ଜଣଙ୍କ ମୃତ୍ଯୁ ହେବାର ପ୍ରାୟ ଦୁଇ ମାସ ପୂରିବାକୁ ବସିଥିବାବେଳେ ଆଜିସୁଦ୍ଧା ମଦ ମୃତ୍ଯୁ ପରିବାରକୁ କ୍ଷତିପୂରଣ ମିଳିନାହିଁ। ବିଷାକ୍ତ ମଦ୍ୟପାନ ଜନିତ ମୃତ୍ଯୁ ମୁଖରୁ ବର୍ତ୍ତୀ ଯାଇଥିବା ବ୍ଯକ୍ତିମାନେ ପୀଡା ଅନୁଭବ କରୁଛନ୍ତି ଏବଂ ସେମାନେ ବିକାଳଙ୍ଗ ଅବସ୍ଥାକୁ ଚାଲିଯିବାର ସମ୍ଭାବନା ରହିଛି।ଏପରି ଘଡିସନ୍ଧି ବେଳରେ ରାଜ୍ଯ ସରକାର ମଦ ମୃତ୍ଯୁକୁ ଚପାଇଦେବା ପାଇଁ ପ୍ରଥମେ ଆରଡିସି ତଦନ୍ତ ପରେ ରାଜସ୍ବ ପାର୍ସଦ ସଦସ୍ୟଙ୍କ ଦ୍ବାରା ତଦନ୍ତ କରାଇ ମଦ ମୃତ୍ଯୁର କାରଣ ଖୋଜିବା ଦୋ ମୁହାଁ ନୀତିର ପରିଚୟ ଦେଇଛନ୍ତି। ଅନ୍ଯପଟେ ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟି ଏବଂ ପାତ୍ରପୁର ବ୍ଲକରେ ରହିଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ମାଲିକ ମାନେ ଅବକାରୀ ବିଭାଗକୁ ହାତ ବାରସୀ କରି ରାଜସ୍ବକୁ ବାଟମାରଣା ପାଇଁ ଚିକିଟି ନିର୍ବାଚନ ମଣ୍ଡଳୀରେ ଗାଁ ଗାଁ ରେ କୁଚିଆ ବେପାରୀ ସୃଷ୍ଟିକରି ନକଲି ଦେଶୀ ବିଦେଶୀ ମଦର ବନ୍ଯା ଛୁଟାଛନ୍ତି ବୋଲି ଆଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ କୁହାଯାଇଛି। ଫରୱାର୍ଡ ବ୍ଲକ ପକ୍ଷରୁ ଚିକିଟି ମଦ ମୃତ୍ଯୁ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଇବା, ମୃତକଙ୍କ ପରିବାରବର୍ଗଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଓ ମୃତ ସହିତ ସଂଗ୍ରାମ କରୁଥିବା ବ୍ଯକ୍ତିର ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ଅବକାରୀ କମିଶନରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଚିକିଟି ମଦ ମୃତ୍ଯୁ ଘଟଣାକୁ ନେଇ ଫରୱାର୍ଡ ବ୍ଲକ ପକ୍ଷରୁ ଚିକିଟି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଉଥିଲା। ଫରୱାର୍ଡ ବ୍ଲକ ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ଓ ବରିଷ୍ଠ ନେତା ସମରଜିତ୍ ମହାନ୍ତି ଉପସ୍ଥିତ ଥିଲେ। ସମରଜିତ୍ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଚିକିଟି ନିର୍ବାଚନ ମଣ୍ଡଳୀରେ ଚୋରା ମଦ କାରବାର ସଂପର୍କରେ ପୁଲିସ ଓ ଅବକାରା ବିଭାଗ ପାଖରେ ଖବର ରହିଛି। ସ୍ଥାନୀୟ ରାଜନେତାଙ୍କ ଆର୍ଶୀବାଦ ରହୁଛି। ଯେଉଁ ମଦ ଲାବ୍ରୋଟୋରୀ ଟେଷ୍ଟ ପାଇଁ ଯାଉଛି ସେଇଟା ଗାଇଡଲାଇନ ଅନୁଯାଇ ପ୍ରସ୍ତୁତ ହେଉଛି ଏବଂ ଅନ୍ଯ ମଦ ସବୁ ଅପମିଶ୍ରିତ ହେଉଛି। ସଭାପତି ବିଭୂଧେନ୍ଦ୍ର ପାଢୀ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିର୍ଦ୍ଦିଷ୍ଟ ମଦ ଉତ୍ପାଦନ ଠାରୁ ଅଧିକା ଉତ୍ପାଦନ କରୁଛନ୍ତି। ମହୁଲ ପାଇଁ ଟୋକେନ ଆଣି ସେହି ପରିମାଣ ମହୁଲ ଉଠାଣ ହେଉଛିକି ନାହିଁ ତଦନ୍ତ ହେବା ଆବଶ୍ୟକ। ଚିକିଟି ଅଞ୍ଚଳରୁ ଚୋରା ମଦ ଆନ୍ଧ୍ରପ୍ରଦେଶ ସିମାନ୍ତ ଅଞ୍ଚଳକୁ ଚଲଣ ହେଉଛି। ଫରୱାର୍ଡ ବ୍ଲକ ମଦ ମୃତ୍ଯୁ ଘଟଣାକୁ ନେଇ ଆଗମୀ ଦିନରେ ମାନବ ଅଧିକାର କମିଶନ ଓ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ। ମଦ ମୃତ୍ଯୁ ଘଟଣାର ମାଷ୍ଟର ମାଇଁଣ୍ଡକୁ ଏପର୍ଯ୍ୟନ୍ତ ଧରାଯାଇ ନାହିଁ ବୋଲି ଶ୍ରୀ ପାଢୀ କହିଥିଲେ।

nis-ad
Leave A Reply

Your email address will not be published.